ନୂଆଦିଲ୍ଲୀ,୨୮ା୧୨- କିମ୍ବଦନ୍ତୀ ଭାରତୀୟ ସ୍ପିନର ବିଶନ ସିଂ ବେଦୀଙ୍କୁ ଦିଲ୍ଲୀ କ୍ରିକେଟର ‘ବିସ୍ମ ପିତାମହ’ ଅଭିହିତ କରିଛନ୍ତି ଦିଲ୍ଲୀ ଡିଷ୍ଟ୍ରିକ୍ଟ କ୍ରିକେଟ ଆସୋସିଏଶନ (ଡିଡିସିଏ) ସଭାପତି ରୋହନ ଜେଟଲି। ଆଉ ଫିରୋଜା ଶାହା କୋଟଲା ଗ୍ରାଉଣ୍ଡର ଏକ ଷ୍ଟାଣ୍ଡରୁ ନାମ ହଟାଇବା ପାଇଁ କରିଥିବା ଦାବିକୁ ପ୍ରତ୍ୟାହାର କରିବା ଲାଗି ଅନୁରୋଧ କରିଛନ୍ତି ଡିଡିସିଏ ମୁଖ୍ୟ।
କୋଟଲା ଷ୍ଟାଡିୟମରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟଲିଙ୍କ ପ୍ରତିମୂର୍ତ୍ତୀ ସ୍ଥାପନାକୁ ବିରୋଧ କରିଥିଲେ ପୂର୍ବତନ ଭାରତୀୟ ସ୍ପିନର ବେଦୀ। ଆଉ ବିବାଦ ଓ ଦୁର୍ନୀତିଗ୍ରସ୍ତ ଡିଡିସିଏ ଷ୍ଟାଡିୟମରେ ଏକ ଷ୍ଟାଣ୍ଡରୁ ତାଙ୍କ ନାମ ହଟାଇବାକୁ ଦାବି କରିଥିଲେ। ଡିଡିସିଏ ସଭାପତି ତଥା ଅରୁଣ ଜେଟଲିଙ୍କ ପୁଅ ରୋହନ ଏ ସମ୍ପର୍କରେ ବେଦୀଙ୍କ ସହ ବ୍ୟକ୍ତିଗତ ସ୍ତରରେ କଥା ହେବେ ବୋଲି କହିଛନ୍ତି।