ପଦ୍ମଶ୍ରୀ ଫେରାଇଦେବା ସହ ଭୁଲ ମାଗିବି ଯଦି…

ବମ୍ବେ: କୁହାଯାଏ ବିବାଦ ଯେଉଁଠି ଅଭିନେତ୍ରୀ କଙ୍ଗନା ରାଣାଓ୍ବତ ସେଇଠି। ସର୍ବଦା ବିବାଦରେ ରହିବାକୁ ପସନ୍ଦ କରନ୍ତି ସେ। ନିକଟରେ ଭାରତର ସ୍ବାଧୀନତାକୁ ନେଇ କଙ୍ଗନା ଏକ ବଡ଼ ବୟାନ ଦେଇ ବିବାଦକୁ ଚାଲିଆସିଛନ୍ତି। ସୋସିଆଲ ମିଡିଆରେ ତାଙ୍କୁ ଟ୍ରୋଲ କରାଯାଉଛି। କେବଳ ଏତିକି ନୁହେଁ ଅନେକ ସ୍ଥାନରେ ତାଙ୍କ ନାମରେ ଅଭିଯୋଗ ହେଉଛି। ବିଭିନ୍ନ ରାଜନୈତିକ ଦଳ ଲୋକେ ତାଙ୍କ ବିରୋଧରେ ସ୍ବର ମଧ୍ୟ ଉଠାଉଛନ୍ତି। ଏଭଳି ସ୍ଥିତିରେ ନିଜ ବୟାନବାଜିକୁ ନେଇ ଜବାବ ଦେଇଛନ୍ତି କଙ୍ଗନା।
ନିଜର ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟ ଷ୍ଟୋରୀରେ କଙ୍ଗନା ସଫେଇ ଦେଇଛନ୍ତି। ସେ ଦେଇଥିବା ବୟାନ ଠିକ। ଯଦି କେହି ତାଙ୍କୁ ଭୁଲ ପ୍ରମାଣିତ କରିଦିଅନ୍ତି, ଠିକ୍‌ କ’ଣ ଭୁଲ କ’ଣ ବୁଝାଇଦିଅନ୍ତି ତେବେ ସେ ନିଜ ପଦ୍ମଶ୍ରୀ ପୁରସ୍କାର ଫେରାଇଦେବା ସହ ଭୁଲ ମାଗିବାକୁ ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି।

ପଦ୍ମଶ୍ରୀ ପାଇବାର ଦିନକ ପରେ କଙ୍ଗନା ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇଥିଲେ। ଏଥିରେ ସେ ୧୯୪୭ ରେ ଭାରତକୁ ମିଳିଥିବା ସ୍ବାଧୀନତା ଭିକ ଥିଲା, ୨୦୧୪ରେ ଦେଶ ପ୍ରକୃତ ସ୍ବାଧୀନତା ପାଇଛି ବୋଲି କହିଥିଲେ। ଏହି ବୟାନକୁ ଚାରିଆଡେ ବିରୋଧ କରାଯାଉଛି। କଙ୍ଗନା କିନ୍ତୁ ଏବେ ୧୯୪୭ରେ କ’ଣ ହୋଇଥିଲା ବୋଲି ପଚାରିଛନ୍ତି। ୧୮୫୭ରେ କେଉଁ ଯୁଦ୍ଧ ହୋଇଥିଲା ମୁଁ ଜାଣେ। ହେଲେ ୧୯୪୭ରେ କେଉଁ ଯୁଦ୍ଧ ହୋଇଥିଲା ସେ ବିଷୟରେ ମୁଁ ଅବଗତ ନୁହେଁ। ରାଣୀ ଲକ୍ଷ୍ମୀବାଇଙ୍କ ଫିଲ୍ମରେ କାମ କରିଛି। ୧୮୫୭ ବିପ୍ଳବ ଉପରେ ଅନେକ ଗବେଷଣା କରାଯାଇଛି। ରାଷ୍ଟ୍ରବାଦ ସହ ବାମପନ୍ଥୀମାନେ ମଧ୍ୟ ଉଭା ହୋଇଥିଲେ। ହେଲେ ହଠାତ୍‌ ଏମାନେ କିଭଳି ଗାଏବ ହୋଇଗଲେ? ଗାନ୍ଧୀଜୀ ଭଗତ ସିଂହଙ୍କୁ କାହିଁକି ମରିବାକୁ ଅନୁମତି ଦେଲେ? ଏଭଳି ସମସ୍ତ ପ୍ରଶ୍ନର ଉତ୍ତର ଚାହୁଁଛି, ସେଥିପାଇଁ ମୋତେ ସାହାଯ୍ୟର ଆବଶ୍ୟକତା ରହିଛି ବୋଲି କଙ୍ଗନା କହିଛନ୍ତି।

Share