Categories: ଜାତୀୟ

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ କି ସିଦ୍ଦରମୈୟା: ହାଇକୋର୍ଟରୁ ଝଟ୍‌କା ମିଳିବା ପରେ ଜାଣନ୍ତୁ କ’ଣ ରହିଛି ଅପ୍ସନ୍‌

ବେଙ୍ଗାଲୁରୁ,୨୪।୯: ଜମି ଦୁର୍ନୀତି ମାମଲାରେ କର୍ନାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟାଙ୍କୁ ମଙ୍ଗଳବାର ବଡ଼ ଝଟ୍‌କା। ଏହି ମାମଲା ଉପରେ କରିଥିବା ଆବେଦନ କର୍ନାଟକ ହାକୋର୍ଟର ଖାରଜ ହୋଇଯାଇଛି। କର୍ନାଟକ ହାଇକୋର୍ଟର ଏକକ ବେଞ୍ଚରୁ ଆଶ୍ୱସ୍ତି ନ ମିଳିବା ପରେ ମୁଖ୍ୟମନ୍ତ୍ରୀ ଆସନ୍ତାକାଲି ଅର୍ଥାତ୍‌ ବୁଧବାର ଡବଲ ବେଞ୍ଚରେ ଆବେଦନ କରିପାରିବେ। ସିଦ୍ଦରମୈୟାଙ୍କ ଏଥିପାଇଁ ପ୍ରସ୍ତୁତ ହେଉଛନ୍ତି।

ନିକଟରେ ମହୀଶୁର ସହରାଞ୍ଚଳ ବିକାଶ ପ୍ରାଧିକରଣ ସାଇଟ ଆବଣ୍ଟନ ମାମଲାରେ ରାଜ୍ୟପାଳ ଥାୱର ଚାନ୍ଦ ଗେହଲଟ ସିଦ୍ଦରମୈୟାଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାକୁ ଚ୍ୟାଲେଞ୍ଜ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ମୁଖ୍ୟମନ୍ତ୍ରୀ, ଯାହାକୁ ହାଇକୋର୍ଟ ଖାରଜ କରି ଦେଇଛନ୍ତି।

ଆଜି ହାଇକୋର୍ଟ ବିଚାରପତି ଜଷ୍ଟିସ ଏମ ନାଗପ୍ରସନ୍ନ ଏହି ମାମଲା ଉପରେ ଶୁଣାଣି କରି ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟାଙ୍କ ଆବେଦନକୁ ଖାରଜ କରି କହିଛନ୍ତି, ଏ ମାମଲା ଉପରେ ନିଷ୍ପତ୍ତି ନେବାପାଇଁ ରାଜ୍ୟପାଳଙ୍କର ସାମ୍ବିଧାନିକ ଅଧିକାର ରହିଛି। ତାଙ୍କ ନିର୍ଦ୍ଦେଶ ଅନୁସାରେ, ଜମି ଦୁର୍ନୀତି ମାମଲାରେ ତଦନ୍ତ ହୋଇପାରିବ, ହାଇକୋର୍ଟ ଏଥିରେ ପ୍ରତିବନ୍ଧକ ଲଗାଇ ପାରିବେ ନାହିଁ ବୋଲି ଜଷ୍ଟିସ ନାଗପ୍ରସନ୍ନ କହିଛନ୍ତି।

ଯଦି ମୁଖ୍ୟମନ୍ତ୍ରୀ ଡବଲ ବେଞ୍ଚରେ ଅପିଲ କରନ୍ତି, ତେବେ ଏହି ଆବେଦନର ଶୁଣାଣି ଶେଷ ନ ହେବା ପର୍ଯ୍ୟନ୍ତ ନିମ୍ନ ଅଦାଲତରେ ଶୁଣାଣି ରହିବାକୁ ଏକ ଅପିଲ କରାଯାଇପାରିବ। ଯଦି ଡବଲ ବେଞ୍ଚ ଶୁଣାଣି ପାଇଁ ଆବେଦନ ଗ୍ରହଣ କରେ, ତେବେ ସିଦ୍ଦରମୈୟାଙ୍କୁ ଆଶ୍ୱସ୍ତି ମିଳିବ। ମୁଖ୍ୟମନ୍ତ୍ରୀ କ୍ୟାମ୍ପ ସ୍ପଷ୍ଟ କରିଛି ଯେ, ଯଦି ଡବଲ ବେଞ୍ଚରୁ ମଧ୍ୟ ଆଶ୍ୱସ୍ତି ନ ମିଳେ, ତେବେ ସୁପ୍ରିମକୋର୍ଟଙ୍କ ଦ୍ୱାର ନିକଟକୁ ଯିବୁ ଏବଂ ସେ ପର୍ଯ୍ୟନ୍ତ ସିଦ୍ଦରମୈୟା ଇସ୍ତଫା ଦେବାର କୌଣସି ପ୍ରଶ୍ନ ଉଠୁନାହିଁ।

Share