ଏକାଡେମୀରୁ ଇସ୍ତଫା ଦେଲେ ସ୍ମିଥ୍‌; କହିଲେ – ଯେକୌଣସି ପରିଣାମ ଭୋଗିବାକୁ ପ୍ରସ୍ତୁତ

ଲସ ଏଞ୍ଜଲସ୍‌: ୯୪ତମ ଓସ୍କାର ପୁରସ୍କାର ବିତରଣ ସମାରୋହରେ ହୋଷ୍ଟ ତଥା କମେଡିଆନ୍‌ କ୍ରିସ୍‌ ରକ୍‌ଙ୍କୁ ଚାପୁଡ଼ା ମାରି ବିବାଦ ଘେରକୁ ଆସିଥିଲେ ହଲିଉଡ୍‌ ଅଭିନେତା ଓ୍ବିଲ୍‌ ସ୍ମିଥ୍‌। ଏବେ ସେ ନିଜର କାର୍ଯ୍ୟକୁ ନେଇ ପଶ୍ଚାତାପ କରି ଏକାଡେମୀ ଅଫ୍‌ ମୋସନ ପିକ୍ଚର ଆଟ୍ସ ଆଣ୍ଡ ସାଇନ୍ସ(ଓସ୍କାର ଆୟୋଜନ କରୁଥିବା ଏକାଡେମୀ)ର ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି।

ତେବେ ସ୍ମିଥ୍‌ଙ୍କ ବ୍ୟବହାରକୁ ନେଇ ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥାନ୍ତା। ହେଲେ ତା’ ପୂର୍ବରୁ ସେ ଏକାଡେମୀ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ନିଜର କାର୍ଯ୍ୟ ପାଇଁ ଯେକୌଣସି ପରିଣାମ ଗ୍ରହଣ କରିବାକୁ ପ୍ରସ୍ତୁତ ବୋଲି ମଧ୍ୟ ସେ ଜଣାଇଛନ୍ତି।

ସ୍ମିଥ୍‌ କହିଛନ୍ତି, ମୋ କାର୍ଯ୍ୟ ଦ୍ୱାରା ଯେଉଁମାନେ ଆଘାତ ପାଇଛନ୍ତି ସେମାନଙ୍କ ସୂଚୀ ବହୁତ ଲମ୍ବା। ଏଥିରେ ରକ୍‌, ତାଙ୍କ ପରିବାର, ମୋର ବହୁ ପ୍ରିୟଜନ ଓ ଦର୍ଶକ ବି ସାମିଲ ଅଛନ୍ତି। ମୋର ଏହି କାର୍ଯ୍ୟ ଦ୍ୱାରା ବହୁ ଲୋକଙ୍କ ହୃଦୟ ଭାଙ୍ଗି ଯାଇଛି ଓ ବିଶ୍ୱାସ ଟଳମଳ ହୋଇଛି। ମୁଁ ଏକାଡେମୀ ସହ ବିଶ୍ୱାସଘାତକତା କରିଛି। ଏହି ଉତ୍ସବରେ ପୁରସ୍କାର ହାସଲ କରିଥିବା ତଥା ଏଥିନିମନ୍ତେ ମନୋନୀତ ହୋଇଥିବା ବହୁ କଳାକାର ମୋ କାର୍ଯ୍ୟକଳାପ ଯୋଗୁ ଉତ୍ସବ ମନାଇବାରୁ ବଞ୍ଚିତ ହୋଇଥିଲେ। ଏହା ମୋତେ ଗଭୀର ଆଘାତ ଦେଇଛି। ଏଥିଯୋଗୁ ମୁଁ ଏକାଡେମୀ ଅଫ ମୋଶନ ପିକଚର ଆର୍ଟସରୁ ଇସ୍ତଫା ଦେଉଛି । କେବଳ ଏତିକି ନୁହେଁ, ଆଗକୁ ବୋର୍ଡ ତରଫରୁ ଆସିବାକୁ ଥିବା ସମସ୍ତ ନିଷ୍ପତ୍ତିକୁ ଗ୍ରହଣ କରିବି।

କହିରଖୁଛୁ, ଓସ୍କାର ପୁରସ୍କାର ସମାରୋହରେ କ୍ରିସ୍‌ ରକ୍‌ ସ୍ମିଥଙ୍କ ପତ୍ନୀଙ୍କ ଲଣ୍ଡାମୁଣ୍ଡକୁ ନେଇ ପରିହାସ କରିଥିଲେ। ହେଲେ ସ୍ମିଥଙ୍କ ପତ୍ନୀ ଆଲୋପେସିଆ ନାମକ ରୋଗରେ ପୀଡ଼ିତ। ଏହି କାରଣରୁ ସେ ଲଣ୍ଡା ହୋଇଛନ୍ତି। ସ୍ମିଥ୍‌ ପରିହାସ ଶୁଣିବା ପରେ ରାଗିଯାଇ ରକ୍‌ଙ୍କୁ ସମସ୍ତଙ୍କ ସମ୍ମୁଖରେ ଜୋରଦାର ଚାପୁଡ଼ା ମାରିଥିଲେ। ଏଥିସହ ତାଙ୍କ ପତ୍ନୀଙ୍କ ନାମ ଆଉଥରେ ପାଟିରୁ ବାହାର କରିବ ନାହିଁ ବୋଲି ରକ୍‌ଙ୍କୁ ଶୁଣାଇ ଦେଇଥିଲେ। ଏହି ଚାପୁଡ଼ା ମାରିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା।

Share