ଦକ୍ଷିଣ କୋରିଆ ଉପରେ ପରମାଣୁ ମାଡ଼ କରିବୁ

ସିଓଲ,୫।୪: ଉତ୍ତର କୋରିଆ ଯୁଦ୍ଧକୁ ବିରୋଧ କରୁଛି। କିନ୍ତୁ ଯଦି ଦକ୍ଷିଣ କୋରିଆ ସାମରିକ ମୁକାବିଲା ଚାହୁଁଛି କିମ୍ବା ପ୍ରିମେଟିଭ ଷ୍ଟ୍ରାଇକ୍‌ କରେ, ତେବେ ଉତ୍ତର କୋରିଆ ବାଧ୍ୟ ହୋଇ ପରମାଣୁ ଆକ୍ରମଣ କରିବ। ଏ ନେଇ ଉତ୍ତର କୋରିଆ ନେତା କିମ୍‌ ଜଙ୍ଗ ଉନଙ୍କ ଭଉଣୀ କିମ ୟୋ ଜଙ୍ଗ ମଙ୍ଗଳବାର କହିଛନ୍ତି।

ସରକାରରେ ବରିଷ୍ଠ ଅଧିକାରୀ ଥିବା କିମ ୟୋ ଜଙ୍ଗ କହିଛନ୍ତି, ଦକ୍ଷିଣ କୋରିଆ ପ୍ରତିରକ୍ଷା ମନ୍ତ୍ରୀ ଉତ୍ତର କୋରିଆ ଉପରେ ଆକ୍ରମଣ ଉପରେ ଆଲୋଚନା କରିବା ଏକ ବଡ଼ ଭୁଲ।

ଦକ୍ଷିଣ କୋରିଆ ପ୍ରତିରକ୍ଷା ମନ୍ତ୍ରୀ ସୁ ଉକ ଶୁକ୍ରବାର କହିଥିଲେ, ତାଙ୍କ ଦେଶର ସେନା ପାଖରେ ଦୂରଗାମୀ ଟାର୍ଗେଟକୁ ମାଡ଼ କରିବା ପାଇଁ ବିଭିନ୍ନ ପ୍ରକାର ମିସାଇଲ ଅଛି। ଆଉ ଏ ସବୁ ମିସାଇଲ ଉତ୍ତର କୋରିଆରେ ଟାର୍ଗେଟକୁ ତୁରନ୍ତ ଓ ସଠିକ୍‌ ଭାବେ ଧ୍ୱଂସ କରିବାର ଦକ୍ଷତା ରହିଥିବା କହିଥିଲେ। ଏଭଳି ବୟାନକୁ କିମ୍‌ ନିନ୍ଦା କରିବା ସହ ଯଦି ଦକ୍ଷିଣ କୋରିଆ କୌଣସି ପ୍ରକାର ପ୍ରିମେଟିଭ ଷ୍ଟ୍ରାଇକ୍‌ ଭଳି ବିପଦଜନକ ସାମରିକ କାର୍ଯ୍ୟାନୁଷ୍ଠାନ ନେଲେ ସେଓଲର ବିଭିନ୍ନ ଟାର୍ଗେଟକୁ ପିଅଙ୍ଗୟାଙ୍ଗ ଧ୍ୱଂସ କରିଦେବ ବୋଲି ଚେତାବନୀ ଦେଇଛନ୍ତି କିମ।

Share