ପ୍ରଧାନମନ୍ତ୍ରୀ ପଦ ପାଇଁ ଚର୍ଚ୍ଚାରେ ଋଷି ସୁନକ

ଲଣ୍ଡନ,୨୨ା୧୦: ବ୍ରିଟେନରେ ରାଜନୈତିକ ଅସ୍ଥିରତା ଶେଷ ହେଉନାହିଁ। ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ପରେ ଲିଜ ଟ୍ରସ୍‌ କେବଳ ୪୪ ଦିନ ପ୍ରଧାନମନ୍ତ୍ରୀ ପଦରେ ରହିଥିଲେ। କ୍ଷମା ମାଗିବା ସତ୍ତ୍ୱେ କଞ୍ଜରଭେଟିଭ୍‌ ପାର୍ଟି ମଧ୍ୟରେ ତାଙ୍କ ବିରୋଧରେ ବିଦ୍ରୋହ ପରେ ଟ୍ରସ୍‌ ଏହି ନିଷ୍ପତ୍ତି ନେବାକୁ ବାଧ୍ୟ ହୋଇଥିଲେ। ଏହା ସହିତ ପୁଣିଥରେ ପ୍ରଧାନମନ୍ତ୍ରୀ ପଦ ପାଇଁ ଭାରତୀୟ ମୂଳ ଋଷି ସୁନକଙ୍କ ନାମ ଖୁବ୍‌ ଚର୍ଚ୍ଚା ହେଉଛି। ବିଶେଷକର ସୁନକଙ୍କୁ ପ୍ରଧାନମନ୍ତ୍ରୀ କରିବାର ଯଥେଷ୍ଟ ସମ୍ଭାବନା ରହିଛି।

ବୈଦେଶିକ ବ୍ୟାପାର ବିଶେଷଜ୍ଞ ଅଭିଷେକ ସିଂ କହିଛନ୍ତି, ବ୍ରିଟେନରେ ରାଜନୈତିକ ସଙ୍କଟର ମୁଖ୍ୟ କାରଣ ହେଉଛି ଦେଶର ଅର୍ଥନୈତିକ ବ୍ୟବସ୍ଥା। ସେ କହିଛନ୍ତି, ବ୍ରିଟେନର ଯେକୌଣସି ପ୍ରଧାନମନ୍ତ୍ରୀଙ୍କ ପାଇଁ ସବୁଠାରୁ ବଡ଼ ଆହ୍ବାନ ହେଉଛି ଦେଶକୁ ଅର୍ଥନୈତିକ ସମସ୍ୟାରୁ ମୁକ୍ତ କରିବା। ବ୍ରିଟେନର ରାଜନୈତିକ ଆହ୍ବାନ ଦେଶର ଅର୍ଥନୀତି ସହିତ ସିଧାସଳଖ ଜଡ଼ିତ। କଞ୍ଜରଭେଟିଭ୍‌ ପାର୍ଟିର ଦୁଇଟି ବିକଳ୍ପ ଥିବା ସେ କହିଛନ୍ତି। ପ୍ରଥମେ, ଟ୍ରସ୍‌ ବଦଳରେ ଦଳ ପ୍ରଧାନମନ୍ତ୍ରୀ ପଦବୀକୁ ଅର୍ଥନୈତିକ ବ୍ୟବସ୍ଥାର ଜଣେ ବିଶେଷଜ୍ଞଙ୍କୁ ଦେଇପାରିବ କିମ୍ବା ସାଧାରଣ ନିର୍ବାଚନ ପାଇଁ ମଧ୍ୟ ପ୍ରସ୍ତୁତ ହୋଇପାରିବ।

Share