Categories: ଖେଳ

ରୋହିତଙ୍କଠାରୁ ‘ଗୁରୁମନ୍ତ୍ର’ ପାଇଥିବା ବୋଲରଙ୍କୁ ଦ୍ୱିତୀୟ ଟେଷ୍ଟରେ ମିଳିବ କି ସୁଯୋଗ

କେପଟାଉନ,୩୧।୧୨: କେପଟାଉନ ଟେଷ୍ଟରେ ଟିମ ଇଣ୍ଡିଆର ପ୍ଲେଇଙ୍ଗ-୧୧ରେ ପରିବର୍ତ୍ତନ ହେବା ଉପରେ ଏବେ ଜୋରଦାର ଚର୍ଚ୍ଚା ହେଉଛି। ପ୍ରଥମ ଟେଷ୍ଟରେ ଟିମ ଇଣ୍ଡିଆ ମାତ୍ର ୩ ଦିନରେ ଏହି ମ୍ୟାଚ୍‌ ହାରିଯାଇଥିଲା। ଏହି ପରାଜୟ ପରେ ଟିମ ଇଣ୍ଡିଆର ବ୍ୟାଟ୍ସମ୍ୟାନ ଏବଂ ବୋଲରଙ୍କ ଉପରେ ପ୍ରଶ୍ନ ଉଠିଥିଲା। ବିଶେଷକରି ଡେବ୍ୟୁ ଟେଷ୍ଟ ଖେଳୁଥିବା ପ୍ରସିଦ୍ଧ କ୍ରିଷ୍ଣା ପ୍ରଭାବହୀନ ଥିଲେ। ଦକ୍ଷିଣ ଆଫ୍ରିକା ବ୍ୟାଟ୍ସମ୍ୟାନ କେପଟାଉନଙ୍କ ବଲରେ ସହଜରେ ରନ ସଂଗ୍ରହ କରିଥିଲେ। ତେବେ ପ୍ରସିଦ୍ଧଙ୍କୁ କେପଟାଉନ ଟେଷ୍ଟରୁ ବାଦ ଦିଆଯିବ ବୋଲି ଆଲୋଚନା ହେଉଛି।
ଏଥି ସହିତ ମୁକେଶ କୁମାରଙ୍କୁ ପ୍ରସିଦ୍ଧଙ୍କ ସ୍ଥାନରେ ସାମିଲ କରାଯାଇପାରେ। ଦ୍ୱିତୀୟ ମ୍ୟାଚ ପୂର୍ବରୁ ଅଭ୍ୟାସ ସେଶନରେ ମୁକେଶ କୁମାର ଅଧିକ ସମୟ ବୋଲିଂ କରିଥିଲେ। ଏଥିସହ ଟିମ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ମୁକେଶ କୁମାରଙ୍କ ଉପରେ କଡା ନଜର ରଖିରେ। ସେ ମୁକେଶଙ୍କୁ କିଛି ଟିପ୍ସ ମଧ୍ୟ ଦେଉଥିବା ଦେଖାଯାଇଥିଲା। ରୋହିତଙ୍କଠାରୁ ଗୁରୁମନ୍ତ୍ର ପାଇଥିବା ମୁକେଶ ଦ୍ୱିତୀୟ ଟେଷ୍ଟ ଖେଳିବା ପ୍ରାୟ ନିଶ୍ଚିତ ବୋଲି କୁହାଯାଉଛି।
ଏହାପୂର୍ବରୁ ମୁକେଶ କୁମାର ୱେଷ୍ଟଇଣ୍ଡିଜ ବିପକ୍ଷରେ ଟେଷ୍ଟ ଡେବ୍ୟୁ କରିଥିଲେ। ଡେବ୍ୟୁ ଟେଷ୍ଟରେ ମୁକେଶ କୁମାର ୪୮ ରନ ଦେଇ ୨ ଉଇକେଟ ନେଇଥିଲେ। ଏହା ବ୍ୟତୀତ ରବିନ୍ଦ୍ର ଜାଡେଜା କେପଟାଉନ ଟେଷ୍ଟରେ ପ୍ରତ୍ୟାବର୍ତ୍ତନ କରିପାରନ୍ତି। ଯଦି ରବିନ୍ଦ୍ର ଜାଡେଜା ପ୍ଲେଇଙ୍ଗ-୧୧ରେ ସ୍ଥାନ ପାଆନ୍ତି ତେବେ ରବି ଅଶ୍ୱିନଙ୍କୁ ବସିବାକୁ ପଡିପାରେ।
ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ୨ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜର ଦ୍ୱିତୀୟ ଟେଷ୍ଟ ଜାନୁଆରୀ ୩ରୁ ଖେଳାଯିବ। କେପଟାଉନ ପଡ଼ିଆରେ ଉଭୟ ଦଳ ମୁହାଁମୁହିଁ ହେବେ।

Share