Categories: ଜାତୀୟ

୨୦୧୪ରେ ଆସିଥିବା ଲୋକେ ୨୦୨୪ରେ ରହିବେ କି, ମୋଦିଙ୍କୁ ନୀତୀଶଙ୍କ ପ୍ରଶ୍ନ…

ପାଟନା, ୧୦।୮ : ଜେଡ଼ିୟୁ ନେତା ନୀତୀଶ କୁମାର ୮ମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ବୁଧବାର ଶପଥ ଗ୍ରହଣ କରିଛନ୍ତି। ଏହା ସହିତ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ମୋଦିଙ୍କ ନାମ ନ ନେଇ ନୀତୀଶ ପ୍ରଶ୍ନ କରିଛନ୍ତି ଯେ, ୨୦୧୪ରେ ଆସିଥିବା ଲୋକେ ୨୦୨୪ରେ ରହିବେ କି। ଆମେ ରହିବୁ ଅବା ନ ରହିବୁ ତାହା ଭିନ୍ନ କଥା କିନ୍ତୁ ସେମାନେ ୨୦୨୪ରେ ରହି ପାରିବେ ନାହିଁ ବୋଲି ନୀତୀଶ କହିଛନ୍ତି। ଭାଜପା ମେଣ୍ଟ ସମ୍ପର୍କରେ ନୀତୀଶ କହିଛନ୍ତି ଯେ, ଗତ ଦେଢ଼ ମାସ ଧରି ଆମ ମଧ୍ୟରେ କୌଣସି କଥାବାର୍ତ୍ତା ନ ଥିଲା। ଯାହା ବି କିଛି ହେଉଥିଲା ସବୁ ଭୁଲ ଥିଲା ବୋଲି ନୀତୀଶ କହିଛନ୍ତି।

ନୀତୀଶ କହିଛନ୍ତି ଯେ, ଆମ ଦଳ ଜେଡ଼ିୟୁରେ ସମସ୍ତ ସଦସ୍ୟ ଭାଜପା ମେଣ୍ଟ ଛାଡ଼ିଦେବାକୁ କହୁଥିଲେ। ଶେଷରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ପ୍ରଧାନମନ୍ତ୍ରୀ ପଦ ପାଇଁ ପ୍ରାର୍ଥୀ ହେବା ସମ୍ପର୍କରେ ନୀତୀଶ କହିଛନ୍ତି ଯେ ସେସବୁ ଛାଡିଦିଅ। ସେ କହିଛନ୍ତି ଯେ ବିରୋଧୀଦଳ ସମାପ୍ତ ହେବ ବୋଲି କିଛି ଲୋକ ଭାବୁଛନ୍ତି। ଆମେ ମଧ୍ୟ ବିରୋଧ ଦଳରେ ପହଞ୍ଚିଛୁ।

ସାରା ଦେଶ ଗସ୍ତ କରି ବିରୋଧୀଙ୍କୁ ମଜବୁତ କରିବା ପ୍ରଶ୍ନରେ ନୀତୀଶ କହିଛନ୍ତି ଯେ ଆମେ ଆଗକୁ ସବୁକିଛି କରିବୁ। ଆମେ ଚାହୁଁ ଯେ ସମଗ୍ର ବିରୋଧୀ ଏକଜୁଟ ହୋଇ ଆଗକୁ ବଢ଼ନ୍ତୁ ଏବଂ ଯୋଜନା ପ୍ରସ୍ତୁତ କରନ୍ତୁ। ଯେଉଁ ଲୋକମାନେ ୨୦୧୪ରେ ସଂଖ୍ୟାଗରିଷ୍ଠତା ହାସଲ କରିଥିଲେ,ସେମାନେ ସତର୍କ ରୁହନ୍ତୁ ବର୍ତ୍ତମାନ ୨୦୨୪ ଆସୁଛି । ନୀତୀଶ ଭାଜପାର ନାମ ନ ନେଇ କହିଛନ୍ତି ଯେ ଆମେ ତାଙ୍କୁ ସମର୍ଥନ କରିଥିଲୁ, କିନ୍ତୁ ଜେଡିୟୁକୁ ହଟାଇବା ପାଇଁ ସେମାନଙ୍କ ତରଫରୁ ଉଦ୍ୟମ କରାଯାଇଥିଲା। ସେଥିପାଇଁ ଆମେ ପୁରୁଣା ସ୍ଥାନକୁ ଆସିଗଲୁ।

ଯେତେବେଳେ ଅଟଳ ବିହାରୀ ବାଜପେୟୀ ଏବଂ ମୋଦିଙ୍କ ମଧ୍ୟରେ ପାର୍ଥକ୍ୟ ବିଷୟରେ ପଚରାଗଲା, ନୀତୀଶ କୁମାର କହିଥିଲେ ଯେ ଅଟଳ ବହୁତ ଭଲ ପାଉଥିଲେ। ଆମେ ତାଙ୍କୁ ଭୁଲି ପାରିବୁ ନାହିଁ। ସେତେବେଳେ ଏହା ଅନ୍ୟ ଏକ ବିଷୟ ଥିଲା। ଅଟଳ ଜୀ ଏବଂ ସେହି ସମୟର ଲୋକଙ୍କର ଯେଉଁ ଭଳ ପାଇବା ଦେଉଥିଲା, ତାହା କେହି ଭୁଲିପାରିବେ ନାହିଁ।

ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ତାଙ୍କର କିଛି କହିବାର ନାହିଁ। ଆମେ ଜଣେ ଲୋକ ଦେଇଥିଲୁ, ସେ ସେମାନଙ୍କର ହୋଇଗଲେ। ଏହା କହି ସେ ସିଧାସଳଖ ଆରସିପି ସିଂଙ୍କୁ ଟାର୍ଗେଟ କରିଥିଲେ। ଏହା ସହିତ ସେ କହିଛନ୍ତି ଯେ, ମୋ ଦେହ କିଛି ଦିନ ଧରି ଖରାପ ଅଛି । ଭାଜପା ମେଣ୍ଟରେ ମଧ୍ୟ ମୁଁ ମୁଖ୍ୟମନ୍ତ୍ରୀ ହେବାକୁ ମନା କରୁଥିଲି ବୋଲି ସେ କହିଛନ୍ତି।

Share