ନୂଆଦିଲ୍ଲୀ,୨୭।୩: ହିମାଚଳ ପ୍ରଦେଶର ମଣ୍ଡି ସଂସଦୀୟ ନିର୍ବାଚନମଣ୍ଡଳୀରୁ ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କୁ ଭାଜପା ପ୍ରାର୍ଥୀ କରିଛି। ତେବେ କଙ୍ଗନାଙ୍କ ବିପକ୍ଷରେ କଂଗ୍ରେସ ଅଭିନେତ୍ରୀ ୟାମି ଗୌତମଙ୍କୁ ଟିକେଟ ଦେବା ନେଇ ଚର୍ଚ୍ଚା ହେଉଛି। ବର୍ତ୍ତମାନ ହିମାଚଳ କଂଗ୍ରେସ ଏହି ଆଲୋଚନାକୁ ଗୁଜବ ବୋଲି କହିଛି। ହିମାଚଳ କଂଗ୍ରେସର ବିଶ୍ୱସ୍ତ ସୂତ୍ରରୁ ପ୍ରକାଶ ଯେ ବର୍ତ୍ତମାନ ପର୍ଯ୍ୟନ୍ତ ୟାମି ଗୌତମଙ୍କ ସହ କୌଣସି ଆଲୋଚନା ହୋଇନାହିଁ। ମଣ୍ଡି ସଂସଦୀୟ ନିର୍ବାଚନମଣ୍ଡଳୀରୁ ପ୍ରତୀଭା ସିଂ ଦୃଢ ଚେହେରା ଏବଂ ଦଳ ଚାହୁଁଛି ଯେ ସେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରନ୍ତୁ।
ହିମାଚଳ କଂଗ୍ରେସ ସୂତ୍ରରୁ ପ୍ରକାଶ, ବୁଧବାର ଚଣ୍ଡିଗଡ଼ରେ ଅନୁଷ୍ଠିତ ହେବାକୁ ଥିବା ଦଳ ସମନ୍ବୟ କମିଟି ବୈଠକରେ ପ୍ରତିଭା ସିଂଙ୍କୁ ମଧ୍ୟ ପ୍ରତିଦ୍ୱନ୍ଦ୍ୱିତା କରିବାକୁ କୁହାଯିବ। ପ୍ରତିଭା ସିଂ ମଧ୍ୟ ହିମାଚଳ ପ୍ରଦେଶ କଂଗ୍ରେସର ସଭାପତି। ବର୍ତ୍ତମାନ ମଣ୍ଡିରୁ ଲୋକ ସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବା ନେଇ ତାଙ୍କ ପକ୍ଷରୁ କିଛି ସ୍ପଷ୍ଟ କରାଯାଇନାହିଁ।