Categories: ଖେଳ

ପୁଣି ଚମକିଲେ କୋହଲିଙ୍କ ଏହି ପ୍ରିୟ ସ୍ପିନର; ଭାରତୀୟ ଟି୨୦ ଟିମ୍‌ରେ ସାମିଲ ନ କରି ଭୁଲ କରିଦେଲେ କି…

ଦୁବାଇ,୩୦।୯: ଆଇପିଏଲ୍‌ ୨୦୨୧ର ଦ୍ୱିତୀୟ ପର୍ଯ୍ୟାୟ ମ୍ୟାଚ୍‌ରେ ବୁଧବାର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିଜେତା ହୋଇଛି। ଏଥିଯୋଗୁ ଦଳ ପ୍ଲେ ଅଫ୍‌ରେ ସ୍ଥାନ ସୁନିଶ୍ଚିତ କରିବାର ଆଶା ଦେଖାଦେଇଛି। ବିରାଟ କୋହଲୀଙ୍କ ଟିମ୍‌ ବିଜେତା ହେବା ପଛରେ ପ୍ରମୁଖ ଯୋଗଦାନ ବୋଲରଙ୍କ ଥିଲା। ଦ୍ରୁତ ବୋଲର ହର୍ଷଲ ପଟେଲଙ୍କ ଛଡ଼ା ବିରାଟ କୋହଲିଙ୍କ ପ୍ରିୟ ସ୍ପିନର ୟୁଜବେନ୍ଦ୍ର ଚହଲ ଲଗାତାର ଭାବେ ପ୍ରଭାବଶାଳୀ ବୋଲିଂ କରୁଛନ୍ତି। ରାଜସ୍ଥାନ ରୟାଲ୍ସ ବିପକ୍ଷ ମ୍ୟାଚ୍‌ରେ ସେ ୪ ଓଭର ବୋଲିଂ କରି ୧୮ ରନ୍‌ ଦେଇ ୨ ଉଇକେଟ ନେଇଥିଲେ। ଏଥିଯୋଗୁ ତାଙ୍କୁ ମ୍ୟାନ୍‌ ଅଫ୍‌ ଦ ମ୍ୟାଚ୍‌ ଚୟନ କରାଯାଇଥିଲା।

ଚଳିତ ଆଇପିଏଲ୍‌ର ପ୍ରଥମ ପର୍ଯ୍ୟାୟ ମ୍ୟାଚ୍‌ରେ ଚହଲଙ୍କ ଯାଦୁ ଚାଲି ନ ଥିବା ବେଳେ ସେ ୭ ମ୍ୟାଚ୍‌ରେ କେବଳ ୪ ଉଇକେଟ ନେଇଥିଲେ। ହେଲେ ୟୁଏଇରେ ପହଞ୍ଚିବା ପରେ ଓଲଟା ହେଉଛି। ଗତ ୪ ମ୍ୟାଚ୍‌ରେ ସେ ୭ ଉଇକେଟ ନେଇ ସାରିଲେଣି। ସବୁ ମ୍ୟାଚ୍‌ରେ ଆର୍‌ସିବି ପାଇଁ ସେ ମ୍ୟାଚ୍‌ ଉଇନର୍‌ ଏବଂ ଯୋଡ଼ି ବ୍ରେକର୍‌ ସାବ୍ୟସ୍ତ ହେଉଛନ୍ତି। ଏହାକୁ ନେଇ ଭିନ୍ନ ଚର୍ଚ୍ଚା ହେବାରେ ଲାଗିଛି।

ୟୁଏଇ ମଇଦାନରେ ୧୭ ଅକ୍ଟୋବରରୁ ଟି-୨୦ ବିଶ୍ୱକପ୍‌ ଖେଳାଯିବ। ହେଲେ ଚହଲଙ୍କୁ ଦଳରେ ସ୍ଥାନ ମିଳିନାହିଁ। ଏବେ ଚହଲଙ୍କ ପ୍ରଦର୍ଶନ ଦେଖି କାହିଁକି ତାଙ୍କୁ ଭାରତୀୟ ଟି୨୦ ଟିମ୍‌ରେ ସାମିଲ କରାଯାଇ ନାହିଁ ତାହାକୁ ନେଇ ପ୍ରଶ୍ନ କରାଯାଉଛି। ଚୟନକର୍ତ୍ତାମାନେ ଭୁଲ କରିଦେଇଛନ୍ତି ବୋଲି କିଛି କହୁଥିବା ଦେଖାଯାଇଛି।

Share