ଇଚ୍ଛାଶକ୍ତି ବଢ଼ିବାକୁ ପ୍ରେରଣା ଦେଇଛି

ଖଇରା, ୩।୧୨(ଉତ୍କଳବନ୍ଧୁ ପଣ୍ଡା)ଜନ୍ମରୁ ସେ ଥିଲେ ଦିବ୍ୟାଙ୍ଗ। କେବଳ ବୌଦ୍ଧିକ ଅନଗ୍ରସର ନ ଥିଲେ, ଗୋଡ ୨ଟି ମଧ୍ୟ ଠିକ୍‌ ଭାବେ ପଡୁ ନ ଥିଲା କି ହାତ ଆଙ୍ଗୁଳି ଠିକ୍‌ ନ ଥିବାରୁ ଖଡି କି କଲମ ଧରିବା ତାଙ୍କ ପକ୍ଷେ ସମ୍ଭବ ନ ଥିଲା। ଏକମାତ୍ର ସନ୍ତାନର ଏଭଳି ଅବସ୍ଥାରେ ମା’ ଓ ବାପା ଦୁଃଖରେ ମ୍ରିୟମାଣ ହୋଇପଡିଥିଲେ। ହେଲେ ତାଙ୍କର ଏହି ସନ୍ତାନ ପଙ୍ଗୁ ଗିରି ଲଙ୍ଘିଲା ଭଳି ପୂର୍ଣ୍ଣମୀ ଚନ୍ଦ୍ର ଭଳି ନିଜ ଅଞ୍ଚଳର ଗାରିମା ବଢାଇବେ ସେ ଜାଣି ନ ଥିଲେ। ପ୍ରବଳ ଇଛାଶକ୍ତି ଯୋଗୁ ଆଗକୁ ଗୋଟିଏ ପରେ ଗୋଟିଏ ପାହାଚ ଅତିକ୍ରମ କରିଚାଲିଥିବା ଛାତ୍ର ଜଣକ ହେଲେ ବାଲେଶ୍ୱର ଜିଲା ଖଇରା ବ୍ଲକ ଶ୍ୟାମସୁନ୍ଦରପୁର ପଞ୍ଚାୟତ ରୁଢିଙ୍ଗିଆ ଗ୍ରାମର ସୌରରଞ୍ଜନ ଦଳାଇ।
ମା’ ନିର୍ମଳା ଓ ବାପା କେଶବ ଦଳାଇଙ୍କ ଏକମାତ୍ର ସନ୍ତାନ ଭାବେ ସେ ଦୁର୍ବଳ ଗୋଡରେ ଚାଲି ଚାଲି ଯାଇ ଗାଁ ସ୍କୁଲରୁ ପ୍ରାଥମିକ ଶିକ୍ଷା ସାରି ପଳାସପୁର ହାଇସ୍କୁଲରେ ନାମ ଲେଖାଇଥିଲେ। ପିଲାବେଳୁ ମାଟିରେ ବିଭିନ୍ନ ଖେଳନା ତିଆରି କରି ରଙ୍ଗଦେବା ତାଙ୍କର ସଉକ ପାଲଟିଯାଇଥିଲା। ବିଦ୍ୟାଳୟ ସ୍ତରରେ ବକ୍ତୃତା, ବୁଦ୍ଧି ପରୀକ୍ଷା ଆଦି ପ୍ରତିଯୋଗିତାରେ ଅନ୍ୟମାନଙ୍କୁ ପଛରେ ପକାଇ ଦେଇଥିଲେ। ବ୍ଲକସ୍ତରୀୟ ବିଜ୍ଞାନ ମେଳାରେ ସବୁଜ ବିପ୍ଳବ ବିଷୟରେ ପ୍ରକଳ୍ପ ନିର୍ମାଣ କରି ଦ୍ୱିତୀୟ ସ୍ଥାନ ଲାଭ କରିଥିଲେ। ସବୁ ପରେ ଆଙ୍ଗୁଳିରେ ସମସ୍ୟା ଯୋଗୁ କଲମ ଧରି ଠିକ୍‌ ଭାବେ ଲେଖି ପାରୁ ନ ଥିବା ସୌର ସମସ୍ତଙ୍କୁ ପଛରେ ପକାଇ ଚଳିତବର୍ଷ ବୋର୍ଡ ପରୀକ୍ଷାରେ ଏ-୧ ଅର୍ଥାତ ୫୪୧ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇ ନିଜ ଗାଁର ସୁନା ପୁଅ ପାଲଟିଥିଲେ। ଏବେ ସେ ସୋର ୟୁଏନ କଲେଜରେ ଯୁକ୍ତ ୨ ବିଜ୍ଞାନରେ ନାମ ଲେଖାଇଛନ୍ତି। ଜଣେ ବୈଜ୍ଞାନିକ କିମ୍ବା ଡାକ୍ତର ହୋଇ ଦେଶସେବା କରିବା ତାଙ୍କର ଲକ୍ଷ୍ୟ ବୋଲି ସୌରରଞ୍ଜନ କହିଛନ୍ତି। ଦିନେ ଭାଗ୍ୟକୁ ନିନ୍ଦୁଥିବା ମା’ ବାପା ଆଜି ନିଜକୁ ଭାଗ୍ୟବାନ ମନେ କରୁଥିବା ଉଭୟ ମା’ ବାପା କହିଛନ୍ତି।

Share