Categories: ଖେଳ

ଓ୍ବିମ୍ବେଲଡନ ଟେନିସ୍‌: ଦ୍ୱିତୀୟ ରାଉଣ୍ଡରେ ସାନିଆ- ବେଥାନି

ଲଣ୍ଡନ,୨।୭: ଚଳିତ ଓ୍ବିମ୍ବେଲଡନ ଟୁର୍ନାମେଣ୍ଟରେ ଭାରତୀୟ ଅଭିଜ୍ଞ ମହିଳା ଟେନିସ ତାରକା ସାନିଆ ମିର୍ଜା ଓ ତାଙ୍କ ଆମେରିକୀୟ ପାର୍ଟନର ବେଥାନି ମାଟେକ- ସାଣ୍ଡ୍ସ ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ଗୁରୁବାର ଅନୁଷ୍ଠିତ ମହିଳା ଡବଲ୍ସ ଇଭେଣ୍ଟର ପ୍ରଥମ ରାଉଣ୍ଡ ମ୍ୟାଚ୍‌ରେ ଅଣସିଡ୍‌ ଏହି ଇଣ୍ଡୋ ଆମେରିକୀୟ ଯୋଡି ୭-୫, ୬-୩ ସେଟ୍‌ରେ ଷଷ୍ଠ ସିଡ୍‌ ଡେଜେର କ୍ରଜିକ ଓ ଚିଲିର ଆକେକ୍ସା ଗୌରାଚିଙ୍କୁ ହରାଇ ଅଗ୍ରଗତି କରିଛନ୍ତି। ବିଜୟୀ ହେବାକୁ ସାନିଆ ଓ ବେଥାନିଙ୍କୁ ଏକ ଘଣ୍ଟା ୨୭ ମିନିଟ ସମୟ ଆବଶ୍ୟକ ହୋଇଥିଲା।
ଅନ୍ୟତମ ଭାରତୀୟ ମହିଳା ଖେଳାଳି ଅଙ୍କିତା ରାଇନା ଓ ତାଙ୍କ ଆମେରିକା ପାର୍ଟନର ଲରେନ ଡେଭିସ୍‌ ପ୍ରଥମ ରାଉଣ୍ଡରେ ୧୪ତମ ସିଡ୍‌ ଯୋଡି ଆମେରିକାର ଏସିଆ ମହମ୍ମଦ ଓ ଜେସିକା ପେଗୁଲାଙ୍କୁ ଭେଟିବେ। ଅଙ୍କିତା ତୃତୀୟଥର ପାଇଁ କୌଣସି ମେଜର ଟୁର୍ନାମେଣ୍ଟରେ ଅଂଶଗ୍ରହଣ କରିଛନ୍ତି। ଏହାପୂର୍ବରୁ ସେ ଚଳିତବର୍ଷ ଅଷ୍ଟ୍ରେଲିଆନ ଓପନ୍‌ରେ ପଦାର୍ପଣ କରିଥିଲେ। ପ୍ରଥମଥର ପାଇଁ ଭାରତର ଦୁଇ ମହିଳା ଖେଳାଳି କୌଣସି ଗ୍ରାଣ୍ଡସ୍ଲାମ ମୁଖ୍ୟ ଡ୍ର’ର ପ୍ରତିଯୋଗିତାରେ ଅବତୀର୍ଣ୍ଣ ହୋଇ ଇତିହାସ ସୃଷ୍ଟି କରିବେ। ୨୦୦୫ରୁ ସାନିଆ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟରେ ଭାରତ ତରଫରୁ ପ୍ରତିନିଧିତ୍ୱ କରିଆସୁଛନ୍ତି।

Share