Categories: ଖେଳ

‘କୋହଲି ଖେଳୁ ନ ଥିବାରୁ ନିରାଶ ହେଲୁ’

ପୋର୍ଟ ଅଫ୍‌ ସ୍ପେନ୍‌,୨୨।୭: ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ଏବଂ ପାଞ୍ଚ ମ୍ୟାଚ୍‌ ବିଶିଷ୍ଟ ଟି୨୦ ମ୍ୟାଚ୍‌ ଖେଳିବ ଭାରତ। ଶୁକ୍ରବାରଠାରୁ ଦିନିକିଆ ସିରିଜର ପ୍ରଥମ ମୁକାବିଲା ଖେଳାଯିବ। ଏହି ସିରିଜରେ ଭାରତର ବରିଷ୍ଠ ଖେଳାଳିଙ୍କୁ ବିଶ୍ରାମ ଦିଆଯାଇଛି। ତଦନୁଯାୟୀ ନିୟମିତ ଅଧିନାୟକ ତଥା ଓପନର୍‌ ରୋହିତ ଶର୍ମାଙ୍କ ସ୍ଥାନରେ ଶିଖର ଧାଓ୍ବନଙ୍କୁ ସୁଯୋଗ ମିଳିଛି। ରୋହିତଙ୍କ ବ୍ୟତିତ ବିରାଟ କୋହଲି, ହାର୍ଦ୍ଦିକ ପାଣ୍ଡ୍ୟା, ଯଶପ୍ରିତ ବୁମ୍‌ରାଙ୍କୁ ବିଶ୍ରାମ ଦିଆଯାଇଛି। ସେହିଭଳି କୋହଲି ଏବଂ ବୁମ୍‌ରାଙ୍କୁ ଟି୨୦ ସିରିଜରେ ସୁଯୋଗ ମିଳିନାହିଁ। ଏବେ ଦଳର ବରିଷ୍ଠ ଖେଳାଳିଙ୍କୁ ବାହାର କରାଯିବାକୁ ନେଇ ଓ୍ବେଷ୍ଟଇଣ୍ଡିଜ୍‌ ଟିମ୍‌ର କୋଚ୍‌ ଫିଲ୍‌ ସିମନ୍ସ ନିରାଶ ହୋଇଛନ୍ତି। ଦଳ ଶ୍ରେଷ୍ଠ ଖେଳାଳିଙ୍କ ବିପକ୍ଷରେ ମ୍ୟାଚ୍‌ ଖେଳିବାକୁ ଚାହୁଁଥିଲା। ହେଲେ ସେମାନେ ନ ଥିବା ନିରାଶ କରିଛିି ବୋଲି କହିଛନ୍ତି।

ବିମଲ କୁମାରଙ୍କ ୟୁଟ୍ୟୁବ ଚ୍ୟାନେଲରେ ସିମନ୍ସ କହିଛନ୍ତି, ଭାରତର ଖେଳାଳିମାନେ ଗସ୍ତରେ ଆସିନାହାନ୍ତି। ଏହା ନିରାଶ କରିଛି। କାରଣ ଶ୍ରେଷ୍ଠ ଖେଳାଳିଙ୍କ ସହ ମ୍ୟାଚ୍‌ ଖେଳିବାକୁ ଚାହୁଁଥିଲୁ। ବିରାଟଙ୍କ ରେକର୍ଡ ଦେଖିଲେ ସେ ଜଣେ ଅଲ୍‌ଟାଇମ୍‌ ବେଷ୍ଟ ପ୍ଲେୟାର। ଏବେ ସେ ସିରିଜରେ ନ ଥିବାରୁ ନିରାଶ ହୋଇଛୁ। ସେ ଆସିଥିଲେ ଭଲ ହୋଇଥାନ୍ତା। ହେଲେ ସମସ୍ତଙ୍କୁ ସିରିଜ ପସନ୍ଦ ଆସିବ ବୋଲି ସେ ଅନୁମାନ କରୁଥିବା କହିଛନ୍ତି।

ସେହିଭଳି କୋହଲିଙ୍କୁ ନେଇ ହେଉଥିବା ସମାଲୋଚନା ବିଷୟରେ ସେ କହିଛନ୍ତି, ଲୋକମାନେ ଚାହାନ୍ତି ଯେ ସେ ସବୁବେଳେ ଭଲ ଖେଳନ୍ତୁ। ହେଲେ କେହି ବି ଖେଳାଳି ସବୁବେଳେ ସେଭଳି କରିପାରିବ ନାହିଁ।

Share