କୁଟୀର ଶିଳ୍ପରେ ପରିଣତ ହେଲାଣି ମହୁଲି ମଦ, ବେପାରୀ-ଅବକାରୀ ବିଭାଗ ସଲାସୁତରା

ଅମରପାଲି,୨୬ା୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଅବକାରୀ ଥାନା ଅଞ୍ଚଳରେ ମହୁଲି ମଦ ପ୍ରସ୍ତୁତି କୁଟୀର ଶିଳ୍ପରେ ପରିଣତ ହୋଇଛି। ବେଫିକର ଭାବେ ଗାଁ ଗାଁରେ ବେଆଇନ ଭାବେ ତିଆରି ହେଉଛି ନକଲି ମଦ। ଅବକାରୀ ବିଭାଗ ସବୁ ଜାଣି ମଧ୍ୟ ଚୁପ୍‌ ରହିଛି। ଫଳରେ ପ୍ରତିଦିନ ହଜାର ହଜାର ଲିଟର ଦେଶୀ ମହୁଲି ମଦ ଜିଲାର ବିଭିନ୍ନ ସ୍ଥାନ ସମେତ ଜିଲା ବାହାରକୁ ମଧ୍ୟ ବ୍ୟବସାୟୀମାନେ ଚାଲାଣ କରୁଛନ୍ତି। ସମଗ୍ର ବୀରମହାରାଜପୁର ଅଞ୍ଚଳର ପ୍ରତ୍ୟେକ ଗ୍ରାମରେ ଦେଶୀ ମହୁଲି ମଦ ସୁବିଧାରେ ମିଳୁଛି। ଫଳରେ ଅନେକ ସମୟର ମଦ ଯୋଗୁ ଗଣ୍ଡଗୋଳ ଦେଖାଦେଉଛି। ଏହି ମଦକୁ ପିଇ ଅନେକ ସମୟରେ ଲୋକେ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଥିବା ବେଳେ କେତେକ ମୃତ୍ୟୁମୁଖରେ ପଡ଼ିଛନ୍ତି। ତେବେ ଅବକାରୀ ବିଭାଗ ଚଢ଼ାଉ କରୁଥିଲେ ମଧ୍ୟ ମଦ ବ୍ୟବସାୟୀମାନେ ଆଗୁଆ ସୂଚନା ପାଇ ପଳାଇ ଯାଉଛନ୍ତି। ବୀରମହାରାଜପୁର ଅଞ୍ଚଳର ଖଣ୍ଡହତା ପଞ୍ଚାୟତର ଚୁପ୍‌କାଦାଦରରେ ସର୍ବାଧିକ ମଦ ପ୍ରସ୍ତୁତି ହେଉଛି। ଏଠାରେ ଅଞ୍ଚଳର ସବୁଠୁ ଅଧିକ ମଦ ପ୍ରସ୍ତୁତି ହୋଇ ଜିଲା ବାହାରକୁ ଚାଲାଣ ହେଉଛି। ଏହା ସହିତ ଉକ୍ତ ପଞ୍ଚାୟତର ପୁଇପାନ, ବଡ଼କିରାସିରା ଗ୍ରାମର ନିକଟସ୍ଥ ଜଙ୍ଗଲରେ କାହିଁ କେଉଁ ଦିନରୁ ମହୁଲି ମଦ ଭାଟି ତିଆରି କରି ମଦ ପ୍ରସ୍ତୁତି ହେଉଛି। ବଦଳରେ ମଦ ବ୍ୟବସାୟୀମାନେ ଅବକାରୀ ବିଭାଗକୁ ମୋଟା ଅଙ୍କର ଟଙ୍କା ଦେଉଥିବା ସ୍ଥାନୀୟ ଅଞ୍ଚଳର ଲୋକେ ଅଭିଯୋଗ କରୁଛନ୍ତି।