Categories: ଜାତୀୟ

ଅଫିସରେ ମିଳିବ ମଦ!

ଚଣ୍ଡୀଗଡ,୧୪।୫:ଚିଲ୍ଡ ଆଉଟ୍‌ ହେଉ କିମ୍ବା ସୁଖଦୁଖରେ ଲୋକେ ମଦ ପିଇଥାନ୍ତି। ତେବେ ଆପଣ କେବେ ଅଫିସରେ ମଦ ପିଇବା କଥା ଭାବି ପାରୁଛନ୍ତି। ଏପରି କଲେ ବସ୍‌ ଚାକିରୀରୁ ବିଦା କରିବା କଥା ଆପଣ ଭାବିଥାଇ ପାରନ୍ତି। କିନ୍ତୁ ଆପଣ ଜାଣନ୍ତି, ଏବେ ଅଫିସରେ ମଧ୍ୟ ମିଳିବ ମଦ। ଆଜ୍ଞା ହଁ। ହରିୟାଣା ସରକାର ତାଙ୍କ ରାଜ୍ୟରେ ଏହିପରି ନିୟମକୁ ଲାଗୁ କରିଛନ୍ତି।

ହରିୟାଣାରେ ନୂଆ ନିୟମ ଅନୁଯାୟୀ, ଆପଣ ଅଫିସରେ ମଦ ପିଇ ପାରିବେ। ତେବେ ରାଜ୍ୟ ସରକାରଙ୍କ ଏହି ନୂତନ ଅବକାରୀ ନିୟମ ଅନୁଯାୟୀ ଅଫିସରେ କେବଳ ବିୟର ଓ ୱାଇନ ପାଇଁ ଅନୁମତି ମିଳିବ। କାରଣ ଏଥିରେ କମ୍‌ ଆଲକୋହଲ ରହିଥାଏ। ଏଥିସହ ଯେଉଁ ଅଫିସ୍‌ରେ ଅତି କମରେ ୫ ହଜାର ଲୋକ କାମ କରନ୍ତି ଏବଂ ଅଫିସ୍‌ର କ୍ଷେତ୍ରଫଳ ୧ ଲକ୍ଷ ବର୍ଗଫୁଟ ହୋଇଥିବ ସେଠାକାର କର୍ମଚାରୀ ବିୟର ପିଇପାରିବେ ବୋଲି ସରକାର ନିଜ ଅବକାରୀ ନୀତିରେ ସର୍ତ୍ତ ରଖିଛନ୍ତି।

ଏହି ନୂତନ ଅବକାରୀ ନୀତି ଅନୁଯାୟୀ କମ୍ପାନୀମାନଙ୍କୁ ଏଥିପାଇଁ ବାର୍ଷିକ ୧୦ ଲକ୍ଷ ଟଙ୍କା ଦେବାକୁ ପଡିବ। ଏହି ନୀତି ଜୁନ ୨୦୨୩ରୁ କାର୍ଯ୍ୟକାରୀ ହେବ। ଏଥିସହ ସରକାର ଓ୍ବାଇନ୍‌ ଓ ବିୟରରେ ଏକ୍ସାଇଜ ଡ୍ୟୁଟିକୁ ହ୍ରାସ କରିଛନ୍ତି। ଯାହା ଯୋଗୁ ଓ୍ବାଇନ୍‌ ଓ ବିୟର ଶସ୍ତା ହୋଇଯିବ।

 

Share