ମଦ, ବିଷାକ୍ତ ଖାଦ୍ୟ ନେଉଛି ଜୀବନ

ମାଥିଲି,୧୨ା୯ (ଡି.ଏନ.ଏ):ମାଲକାନଗିରି ଜିଲା ମାଥିଲି ବ୍ଲକ ଅନ୍ତର୍ଗତ ହଳଦୀକୁଣ୍ତ ଗ୍ରାମରେ ଦେଖାଦେଇଥିବା ଅଜଣା ରୋଗର କାରଣ ଏବେ ସ୍ପଷ୍ଟ ହୋଇଛି। ମଦ ଓ ବିଷାକ୍ତ ଖାଦ୍ୟ ଖାଇ ଲୋକେ ପ୍ରାଣ ହରାଉଥିବା ମାଥିଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷରେ ଏନେଇ ରବିବାର ପ୍ରଶାସନ, ସ୍ବାସ୍ଥ୍ୟ ବିଭାଗ ଓ ଜନ ପ୍ରତିନିଧିମାନେ ହଳଦୀକୁଣ୍ତକୁ ଯାଇ ଲୋକଙ୍କୁ ସଚେତନ କରିଛନ୍ତି। ୯ ଜଣ ଆକ୍ରାନ୍ତଙ୍କୁ ବୁଝାଶୁଝା କରି ମାଥିଲି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ଲୋକଙ୍କ ମୃତ୍ୟୁ ଅଜଣା ରୋଗ ନୁହେଁ, ମଦ ଓ ବିଷାକ୍ତ ଖାଦ୍ୟ ଖାଇବା ଦ୍ୱାରା ହୋଇଥିବା ସଂଗୃହୀତ ରିପୋର୍ଟରୁ ଜଣାପଡ଼ିଛି ବୋଲି ମାଲକାନଗିରି ସିଡିଏମ୍‌ଓ ପ୍ରଫୁଲ୍ଲ କୁମାର ନନ୍ଦ କହିଛନ୍ତି। ଗତ କିଛିଦିନ ତଳେ ଗ୍ରାମରେ ଏକ ମୃତ ଗୃହପାଳିତ ପ୍ରାଣୀର ମାଂସ ଗ୍ରାମବାସୀ ଖାଇଥିଲେ। ଏଥିସହ ମାତ୍ରାଧିକ ମଦ୍ୟପାନ କରିଥିଲେ। ଫଳରେ ସେମାନଙ୍କ ଶରୀର ଧୀରେ ଧୀରେ ବିଷାକ୍ତ ହୋଇପଡ଼ିଥିଲା। କ୍ରମେ ଗୋଡ ହାତ ଫୁଲିବା ସହ ଜ୍ବରରେ ମୃତ୍ୟୁ ଘଟିଥିଲା। ଜ୍ୱରରେ ପଡ଼ିବା ସତ୍ତ୍ୱେ ସେମାନେ ସ୍ବାସ୍ଥ୍ୟକେନ୍ଦ୍ରକୁ ଯାଇ ନ ଥିଲେ। କ୍ବାକ୍‌ ଚିକିତ୍ସା ଏବଂ ଗୁଣିଗାରେଡ଼ି ଫଳରେ ଗତ ୮ ଦିନ ମଧ୍ୟରେ ୧୨ ଜଣଙ୍କ ମୃତ୍ୟୁ ହୋଇଥିଲା ବୋଲି ସିଡିଏମ୍‌ଓ ନନ୍ଦ କହିଛନ୍ତି। ହେଲେ ସରକାରୀ ସ୍ତରରେ ମୃତ୍ୟୁସଂଖ୍ୟା ୭ ଜଣ କୁହାଯାଉଥିବାବେଳେ ଗ୍ରାମବାସୀ ୧୨ ଜଣ ବୋଲି କହୁଛନ୍ତି। ସୂଚନାଯୋଗ୍ୟ, ରବିବାର ଗ୍ରାମବାସୀ ଜଣେ ମୃତକଙ୍କ ପରିବାର ଲୋକଙ୍କ ସହିତ ମିଶି ଭୂତକୁ ଉଠାଇବାର ଅଛି ବୋଲି କହି ମିଳିତ ଭାବେ ମଦ ପିଉଥିବା ଦେଖିବାକୁ ମିଳିଛି।

Share