Categories: ଅନୁଗୋଳ

ଗ୍ରୋସେରି ଦୋକାନରେ ମଦ ବିକ୍ରି

ପବିତ୍ରନଗର,୨୧।୪(ଡି.ଏନ.ଏ.): ଅନୁଗୋଳ ଜିଲା କଣିହାଁ ବ୍ଲକ ସମଲ ଥାନା ପୋଲିସ ଗ୍ରୋସେରି ଦୋକାନରେ ମଦ ବିକ୍ରି କରୁଥିବା ଅଭିଯୋଗରେ ଗୌଣିଘଷା ଗ୍ରାମର ବିମ୍ବାଧର ସାହୁ(୫୦)ଙ୍କୁ ଗିରଫ କରିଛି। ମଙ୍ଗଳବାର ସନ୍ଧ୍ୟାରେ ସମଲ ଥାନା ଏସ୍‌ଆଇ କମଳାକ୍ଷ ପ୍ରସାଦ ନାୟକ ଓ ଅନ୍ୟ କର୍ମଚାରୀ ପାଟ୍ରୋଲିଂ କରୁଥିବାବେଳେ କୌଣସି ସୂତ୍ରରୁ ଖବର ପାଇ ଗୌଣିଘଷା ଗ୍ରାମରେ ଥିବା ବିମ୍ବାଧରଙ୍କ ଗ୍ରୋସେରି ଦୋକାନ ଉପରେ ଚଢ଼ାଉ କରିଥିଲେ। ଚଢ଼ାଉ ବେଳେ ଦୋକାନରୁ ବିଦେଶୀ ମଦ ଜବତ କରାଯାଇଥିଲା। ଜବତ ସାମଗ୍ରୀ ମଧ୍ୟରେ ୧୨ ବୋତଲ ବିୟର ଜବତ ହୋଇଥିବା ଥାନା ସୂତ୍ରରୁ ଜଣାପଡିଛି। ଏ ନେଇ ସମଲ ଥାନାରେ ନଂ.୧୧୬/୨୦୨୨ରେ ମାମଲା ରୁଜୁ କରାଯାଇ ଗିରଫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି। କଣିହଁା ବ୍ଳକର ବିଭିନ୍ନ ଅଞ୍ଚଳରେ ଏମିତି ଚୋରାରେ ବିଦେଶୀ ଓ ଦେଶୀ ମଦ ବିକ୍ରି କରାଯାଉଛି। କେତେକ ପାନ ଦୋକାନ ଠାରୁ ଆରମ୍ଭ କରି ହୋଟେଲ, ଢାବା, ଏପରି କି ଘରେ ରଖି ଚୋରା ବ୍ୟବସାୟ ଚାଲିଥିବା ଅଭିଯୋଗ ହେଉଛି। ବିଭାଗ ପକ୍ଷରୁ କାଁ ଭାଁ ସ୍ଥାନରେ ଚଢ଼ାଉ ହେଉଥିବାବେଳେ ଅନେକ ଅସାଧୁ ବ୍ୟକ୍ତି ଏ ବ୍ୟବସାୟରେ ଲିପ୍ତ ଅଛନ୍ତି।
ଅନ୍ୟପକ୍ଷରେ ସହଜରେ ଓ ଶସ୍ତାରେ ଚୋରା ମଦ ମିଳିଯାଉଥିବାରୁ ଗ୍ରାମାଞ୍ଚଳ ଲୋକମାନେ ଏହାର ବ୍ୟବହାର କରି ବିଭିନ୍ନ ଅସାମାଜିକ କାର୍ଯ୍ୟରେ ଲିପ୍ତ ରହୁଛନ୍ତି। ଏହାଦ୍ୱାରା ସାମାଜିକ ବିଶୃଙ୍ଖଳା ବଢ଼ୁଥିବା ବେଳେ ପାରିବାରିକ ହିଂସା ଅଧିକ ସଂଖ୍ୟାରେ ଦେଖିବାକୁ ମିଳୁଥିବା ସ୍ଥାନୀୟ ଲୋକେ କହିଛନ୍ତି। ତେଣୁ ଅବକାରୀ ବିଭାଗ ଓ ପୋଲିସ ଏ ଦିଗରେ ଦୃଷ୍ଟି ଦେବା ସହ ଅଭିଯୁକ୍ତ ଏବଂ ମାଫିଆଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେଲେ ଏହି ଚୋରା ମଦ ବ୍ୟବସାୟ ରୋକାଯାଇପାରିବ ବୋଲି ସାଧାରଣରେ ମତପ୍ରକାଶ ପାଇଛି।