ଜାମଟିକ୍ରା,୪ା୭ : ମଦ କାରଣରୁ ମା’-ବାପାଙ୍କ ଠାରୁ ଅଲଗା ହୋଇଯାଇଛି ୧୦ ବର୍ଷର ବାଳକ। ବରଗଡ଼ ଜିଲା ଭେଡେନ ଥାନା ତାଲମେଣ୍ଡା ପଞ୍ଚାୟତର ରଙ୍ଗାଟିକ୍ରା ଗ୍ରାମରେ ଘଟିଛି ଏଭଳି ଘଟଣା।
ଗତ ଜୁନ୍ ୨୯ ରାତିରେ ରଙ୍ଗାଟିକ୍ରା ଗ୍ରାମର ଟିକେଶ୍ୱର ଖରସେଲ (୩୮) ପ୍ରଚୁର ମଦ୍ୟପାନ କରି ଘରକୁ ଆସିଥିଲେ। କୌଣସି କଥାକୁ ନେଇ ସ୍ତ୍ରୀ କଳ୍ପନାଙ୍କ ସହ ଯୁକ୍ତିତର୍କ ହୋଇଥିଲା। ଏହାକୁ କେନ୍ଦ୍ର କରି ଟିକେଶ୍ୱର ଠେଙ୍ଗାରେ ପିଟି ପିଟି ସ୍ତ୍ରୀଙ୍କୁ ହତ୍ୟା କରିଥିଲେ। ପରଦିନ ଅର୍ଥାତ୍ ୩୦ ତାରିଖରେ ଭେଡେନ ପୋଲିସ ପହଞ୍ଚତ୍ ହତ୍ୟାକାରୀ ଟିକେଶ୍ୱରଙ୍କୁ ଗିରଫ କରି ଜେଲ୍ ପଠାଇଛି। ଏବେ ବାପା ଜେଲ୍ରେ ଥିବାବେଳେ ମା’ ପରପାରିରେ। ଫଳରେ ସେମାନଙ୍କ ଠାରୁ ଅଲଗା ହୋଇଯାଇଛି ପୁଅ କୁନାଲ ଖରସେଲ (୧୦)। ତା’ର କଥା ବୁଝିବା ପାଇଁ ଏବେ କେହି ସମ୍ପର୍କୀୟ ମଧ୍ୟ ନାହାନ୍ତି। ଭୋକ ଉପାସରେ ମା’ଙ୍କୁ ଝୁରି ଝୁରି ଦିନ କାଟୁଛି କୁନାଲ। ଏହି ନାବାଳକଙ୍କ ଥଇଥାନ ପାଇଁ ଜିଲା ପ୍ରଶାସନ ଦୃଷ୍ଟି ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।