ଘରେ ପହଞ୍ଚିବ ମଦ: ଜିଲାପାଳଙ୍କୁ କ୍ଷମତା ଦେଲେ ସରକାର

ଭୁବନେଶ୍ୱର,୧୪।୫(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଲକ୍‌ଡାଉନ ଜାରି ରହିଛି। ଏହି ସମୟରେ ଦୋକାନବଜାର ସହ ମଦ ଦୋକାନ ମଧ୍ୟ ବନ୍ଦ ରହିଛି। ତେବେ ଲକ୍‌ଡାଉନ ବେଳେ ମଦ ହୋମ୍‌ ଡେଲିଭରି କରିବାକୁ ରାଜ୍ୟ ସରକାର ଜିଲାପାଳଙ୍କୁ କ୍ଷମତା ଦେଇଛନ୍ତି। ଉଭୟ ଅଫ୍‌, ଅନ୍‌, ଦେଶୀମଦ ଦୋକାନୀ ହୋମ୍‌ ଡେଲିଭରି ଦେଇପାରିବେ। ଖାଦ୍ୟ ଯୋଗାଣକାରୀ ସଂସ୍ଥା ମଧ୍ୟ ହୋମ୍‌ ଡେଲିଭରି କରିପାରିବେ। ଏନେଇ ଅବକାରୀ ସଚିବ ସୁଶୀଲ କୁମାର ଲୋହାନୀ ଅବକାରୀ କମିଶନର ଆଶିଷ ସିଂଙ୍କୁ ଜଣାଇଛନ୍ତି। ଜିଲାପାଳମାନଙ୍କୁ ନିଜ ନିଜ ଜିଲାରେ ମଦ ହୋମ୍‌ ଡେଲିଭରି ବ୍ୟବସ୍ଥା ଆରମ୍ଭ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲାପାଳମାନେ ହୋମ୍‌ ଡେଲିଭରି କରିବାକୁ ଅନୁମତି ଦେଇପାରିବେ। ଏଥିସହିତ ରାଜ୍ୟ ସରକାର ଓଡ଼ିଶା ପାନୀୟ ନିଗମର ସମସ୍ତ ଗୋଡାଉନରେ ହୋଲ୍‌ସେଲ କରିବା ପାଇଁ ସକାଳ ୬ରୁ ଅପରାହ୍ନ ୨ଟା ଯାଏ ଅନୁମତି ଦେଇଛନ୍ତି। ରାଜ୍ୟରେ ମେ’ ୫ରୁ ମେ’ ୧୯ ତାରିଖ ଯାଏ ଲକ୍‌ଡାଉନ ଘୋଷଣା କରାଯାଇଛି। ଗତ କିଛିଦିନ ତଳେ ଅବକାରୀ ସଚିବ ମଦ ହୋମ୍‌ ଡେଲିଭରି ଦେବା ନେଇ ଏକ ପ୍ରସ୍ତାବ ସ୍ବତନ୍ତ୍ର ରିଲିଫ୍‌ କମିଶନର ପ୍ରଦୀପ ଜେନାଙ୍କୁ ଦେଇଥିଲେ। ଗତବର୍ଷ ଲକ୍‌ଡାଉନ ସମୟରେ ମଦର ବ୍ୟାପକ ଚାହିଦାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ହୋମ୍‌ ଡେଲିଭରି ପାଇଁ ଅନୁମତି ଦେଇଥିଲେ। ଖାଦ୍ୟ ଯୋଗାଣ କରୁଥିବା ସଂସ୍ଥା ଅବା ମଦ ବିକ୍ରି ଲାଇସେନ୍ସ ଥିବା ଦୋକାନୀମାନେ ଅନ୍‌ଲାଇନ୍‌ ବୁକିଂ ବା ଟେକ୍ନୋଲୋଜି ମାଧ୍ୟମରେ ହୋମ୍‌ ଡେଲିଭରି କରିପାରିବେ। ଗତବର୍ଷ ଲକ୍‌ଡାଉନବେଳେ ଟେକ୍ନୋଲୋଜି ଉପଯୋଗ କରି ମଦର ହୋମ୍‌ ଡେଲିଭରି କରାଯାଉଥିଲା। ମଦ ଯୋଗାଣକୁ ସୁନିଶ୍ଚିତ ଓ ସୁବ୍ୟବସ୍ଥିତ କରିବା ନିମନ୍ତେ କୋଭିଡ୍‌ ଗାଇଡ୍‌ଲାଇନ୍‌ ଅନୁସାରେ ମଦ ନିଗମର ଗୋଦାମଗୁଡ଼ିକ କାର୍ଯ୍ୟ କରିବ।

 

Share