ପାକିସ୍ତାନ ରାସ୍ତା କଡରେ ଲାଗିଲା ୱିଙ୍ଗ କମାଣ୍ଡର ଅଭିନନ୍ଦନ ଓ ପ୍ରଧାନମନ୍ତ୍ରୀ ମୋଦିଙ୍କ ପୋଷ୍ଟର

ଲାହୋର,୧ ।୧୧: ଭାରତୀୟ ବାୟୁସେନାର ପରାକ୍ରମୀ ପାଇଲଟ ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଥମାନ ପୁଣିଥରେ ପାକିସ୍ତାନରେ ଚର୍ଚ୍ଚାର ବିଷୟ ପାଲଟି ଯାଇଛନ୍ତି । ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କିଛି ପୋଷ୍ଟର ମଧ୍ୟ ପାକିସ୍ତାନ ରାସ୍ତାରେ ଲଗାଯାଇଥିବା ଦେଖାଯାଇଛି । ଏହି ପୋଷ୍ଟର ମାଧ୍ୟମରେ ନୱାଜ ଶରିଫଙ୍କ ଦଳ ପାକିସ୍ତାନ ମୁସଲିମ ଲିଗର ନେତା ଅୟାଜ ସଦିକିଙ୍କୁ ଟାର୍ଗେଟ କରାଯାଇଛି । କିଛି ପୋଷ୍ଟରରେ ଅୟାଜ ସଦିକିଙ୍କୁ ମିର ଜାଫରଙ୍କ ସହ ତୁଳନା କରାଯାଇ ଦେଶଦ୍ରୋହୀ ବୋଲି କୁହାଯାଇଛି । ସୂଚନାଯୋଗ୍ୟ, ଅୟାଜ ସଦିକି ନିକଟରେ ପାକିସ୍ତାନ ସଂସଦରେ ଅଭିନନ୍ଦନଙ୍କୁ ପାକିସ୍ତାନ ମୁକୁଳାଇବା ନେଇ ଇମ୍ରାନ ଖାଁ ସରକାରଙ୍କ ପୋଲ ଖୋଲିଥିଲେ । ଏବେ ଅୟାଜ ସଦିକିଙ୍କ ନିର୍ବାଚନ କ୍ଷେତ୍ର ଲାହୋର ସଡ଼କରେ ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଥମାନ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପୋଷ୍ଟର ଜାଣିଶୁଣି ଲଗାଯାଇଛି । ଏଥିରେ ଉଦ୍ଦ୍ୱର୍ୁରେ ଅୟାଜ ସଦିକିଙ୍କୁ ଦୋଶଦ୍ରୋହୀ ବୋଲି ଦର୍ଶାଯାଇଛି । କିଛି ପୋଷ୍ଟରରେ ତାଙ୍କୁ ଭାରତର ସମର୍ଥକ ବୋଲି ମଧ୍ୟ କୁହାଯାଇଛି । ଏବେ ପୂରା ପାକିସ୍ତାନରେ ଅୟାଜ ସଦିକିଙ୍କୁ ନେଇ ବିରୋଧ ପ୍ରଦର୍ଶନ କରାଯାଉଛି । ସୂଚନାଯୋଗ୍ୟ, ଅୟାଜ ସଦିକି କହିଥିଲେ ଭାରତର ଆକ୍ରମଣକୁ ଭୟ କରି ଇମ୍ରାନ ସରକାର ତୁରନ୍ତ ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କୁ ମୁକୁଳାଇ ଦେଇଥିଲେ ।

Share