ପ୍ରେମରେ ଜିତିଲେ, ଓଡ଼ିଶା ବୋହୂ ହେଲେ ୟୁପି ଯୁବତୀ

ଭୁବନେଶ୍ୱର,୨୨।୬(ବ୍ୟୁରୋ): ନିଜ ପ୍ରେମକୁ ପାଇବା ପାଇଁ ଉତ୍ତରପ୍ରଦେଶରୁ ଓଡ଼ିଶା ଚାଲି ଆସିଥିଲେ। ଏବେ ଭୁବନେଶ୍ୱର କୋର୍ଟରେ ଲଢି ଜିତିଲେ ୟୁପି ଗୋରଖପୁରର ଝିଅ ଆକାଂକ୍ଷା ସିଂ। ପରିବାର ଲୋକଙ୍କ ହାତ ଛାଡି ଭୁବନେଶ୍ୱର ଏୟାରପୋର୍ଟ ଥାନା ଅଞ୍ଚଳରେ ରହୁଥିବା ଓଡ଼ିଆ ପୁଅ ପୃଥ୍ବୀରାଜ ପଣ୍ଡାଙ୍କ ହାତ ଧରିଛନ୍ତି। ପ୍ରେମକୁ ପାଇ ସେ ନିରାପଦରେ ଓଡିଶାରେ ରହିବେ ବୋଲି ଆକାଂକ୍ଷା କହିଛନ୍ତି।
ପୃଥ୍ବୀରାଜ ଗୋରଖପୁରରେ ଚାକିରି କରୁଥିବାବେଳେ ଅକାଂକ୍ଷାଙ୍କ ସହ ପ୍ରେମ ସମ୍ପର୍କ ଗଢି ଉଠିଥିଲା। କିନ୍ତୁ ଆକାଂକ୍ଷାଙ୍କ ପରିବାର ଲୋକେ ପୃଥ୍ବୀରାଜଙ୍କ ସହ ଝିଅର ବିବାହକୁ ବାରଣ କରୁଥିଲେ। ଫଳରେ ଗତ ୧୫ ତାରିଖରେ ପୃଥ୍ବୀରାଜଙ୍କ ସହ ଆକାଂକ୍ଷା ଭୁବନେଶ୍ୱର ଚାଲିଆସିଥିଲେ। ପରିବାର ଲୋକେ ଝିଅକୁ ନାବାଳିକା ଦର୍ଶାଇବା ସହ ଥାନାରେ ଅପହରଣ ଅଭିଯୋଗ କରିଥିଲେ। ଏହାପରେ ପରିବାର ଲୋକେ ଗୋରଖପୁର ପୋଲିସ ସହ ଓଡିଶାରେ ପହଞ୍ଚଥିଲେ। ଅପହରଣ ମାମଲାରେ ପୃଥ୍ବୀରାଜଙ୍କୁ ଗିରଫ କରିବା ସହ ଝିଅକୁ ନେବା ପାଇଁ କମିଶନରେଟ ପୋଲିସ ଉପରେ ଚାପ ପକାଇଥିଲେ। ମାତ୍ର ଝିଅ ସାବାଳିକା  ଓ ୟୁପିରେ ତାଙ୍କ ଜୀବନ ପ୍ରତି ବିପଦ ଥିବା ଦର୍ଶାଇଥିଲେ। ଫଳରେ ଦୁଇ ରାଜ୍ୟର ପୋଲିସ ମୁହାଁମୁହିଁ ହୋଇଥିଲେ। ଏୟାରଫିଲ୍ଡ ଥାନା ପୋଲିସ ୟୁପି ପୋଲିସକୁ କୌଣସି କାର୍ଯ୍ୟାନୁଷ୍ଠାନ ନେବାକୁ ବାରଣ କରିଥିଲା। ସୋମବାର ସିଆର୍‌ପିସିର ଧାରା ୧୬୪ ଅନୁଯାୟୀ ସିଜେଏମ୍‌ଙ୍କ କୋର୍ଟରେ ଆକାଂକ୍ଷାଙ୍କ ବୟାନ ରେକର୍ଡ କରାଯାଇଥିଲା। ଆକାଂକ୍ଷା କୋର୍ଟରେ ନିଜ ମାଟ୍ରିକ ସାର୍ଟିଫିକେଟ ଦେଖାଇବା ପରେ ସେ ସାବାଳିକା ଥିବା ସ୍ପଷ୍ଟ ହୋଇଥିଲା। ଏଥିସହ ସେ ନିଜ ଇଛାରେ ଘରୁ ଆସିଥିବା ଓ ପୃଥ୍ବୀରାଜଙ୍କୁ କୋର୍ଟରେ ବିବାହ କରି ଖୁସିରେ ଥିବା କହିଥିଲେ। ଏପରିକି ସେ ପରିବାର ଲୋକଙ୍କ ସହ ୟୁପି ଫେରିଯିବାକୁ ମନା କରିଦେଇଥିଲେ। କୋର୍ଟ ସମସ୍ତ କାଗଜପତ୍ର ଦେଖିବା ସହ ଆକାଂକ୍ଷାଙ୍କ ବୟାନ ଶୁଣିବା ପରେ ତାଙ୍କୁ ଓଡ଼ିଶାର ବୋହୂ ରୂପେ ରହିବାକୁ ଅନୁମତି ଦେଇଥିଲେ। ଫଳରେ ୟୁପି ପୋଲିସ ଓ ଆକାଂକ୍ଷାଙ୍କ ପରିବାର ଲୋକେ ନିରାଶରେ ଫେରିଥିବା ଜଣାପଡିଛି।

Share