Categories: ରାଜ୍ୟ

ରାଜ୍ୟରେ ସାମାନ୍ୟ ହ୍ରାସ ପାଇଲା ଶୀତର ପ୍ରଭାବ, ଘନକୁହୁଡ଼ି ଆଶଙ୍କାରେ ୟେଲୋ ୱାର୍ନିଂ ଜାରୀ

ଭୁବନେଶ୍ୱର,୨୭।୧୨ : ରାଜ୍ୟରେ ଶୀତର ପ୍ରକୋପ କମ୍‍ ରହିଥିବାବେଳେ ଅଧିକାଂଶ ସ୍ଥାନରେ ଘନ କୁହୁଡ଼ି ଦୃଶ୍ୟମାନ ହେଉଛି । ଏହି ଭଳି ସ୍ଥିତି ଆଗକୁ ଦୁଇ/ତିନି ଦିନ ଧରି ଜାରି ରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ରାଜ୍ୟକୁ ବର୍ତ୍ତମାନ ବଙ୍ଗୋପସାଗରୀୟ ଉଷ୍ମ ବାୟୁ ଜାରି ରହିଛି । ଏହାଦ୍ୱାରା ଅଧିକାଂଶ ସ୍ଥାନରେ ତାପମାତ୍ରା ବୃଦ୍ଧି ପାଇବା ସହ କୁହୁଡ଼ି ସମସ୍ୟା ଦେଖାଯାଉଛି । ବୁଧବାର ରାତିରୁ ଗୁରୁବାର ସକାଳ ମଧ୍ୟରେ ୧୭ଟି ଜିଲ୍ଲାରେ ଘନ କୁହୁଡିର ଆଶଙ୍କା ଥିବାରୁ ଏହି ସବୁ ଜିଲ୍ଲା ପାଇଁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ନିଂ ଜାରୀ କରାଯାଇଛି ।

ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ତଥ୍ୟ ଅନୁଯାୟୀ, ରାଜ୍ୟର ତିନିଟି ସ୍ଥାନର ରାତି ତାପମାତ୍ରା ୧୦ ଡିଗ୍ରୀ ତଳେ ଥିବା ରେକର୍ଡ଼ ହୋଇଛି । କୋରାପୁଟରେ ରାତି ତାପମାତ୍ରା ସବୁଠୁ କମ୍ ୭ ଡିଗ୍ରୀ ସେଲସିୟସ ଥିବାବେଳେ ଦାରିଙ୍ଗବାଡ଼ି ୮ ଦଶମିକ ୫ ଡିଗ୍ରୀ ଏବଂ ସେମିଳିଗୁଡ଼ାରେ ୯ ଡିଗ୍ରୀ ରହିଛି । ଭୁବନେଶ୍ୱରରେ ୧୬ ଦଶମିକ ୯ ଏବଂ କଟକରେ ୧୬ ଦଶମିକ ୫ ଡିଗ୍ରୀ ତାପମାତ୍ରା ରେକର୍ଡ଼ ହୋଇଛି । ଅନ୍ୟପକ୍ଷରେ ଆସନ୍ତା ୨ ତାରିଖ ଯାଏଁ ରାଜ୍ୟରେ ପାଗ ଶୁଖିଲା ରହିବ । ୩-୪ ଦିନ ସର୍ବନିମ୍ନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ।

Share