ଦାରିଙ୍ଗବାଡ଼ି,୭।୧(ଡି.ଏନ୍.ଏ): ଓଡ଼ିଶାର କଶ୍ମୀର କୁହାଯାଉଥିବା କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଞ୍ଚଳରେ ପୁଣି ଶୀତ ଫେରିଛି । ଶନିବାର ସକାଳ ୮ଟା ସୁଦ୍ଧା ସର୍ବନିମ୍ନ ତାପମାତ୍ରା ୮ ଡିଗ୍ରୀ ସେଲ୍ସିୟସ ରହିଥିବା ଦାରିଙ୍ଗବାଡ଼ି ବିଡିଓ ଗଦାଧର ପାତ୍ର କହିଛନ୍ତି। ଗତ କିଛିଦିନ ହେଲା ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା ୧୬ରୁ ୧୩ ଡିଗ୍ରୀ ପର୍ଯ୍ୟନ୍ତ ରହୁଥିଲା। ଶନିବାର ଏବଂ ରବିବାର ରହିଥିବାରୁ ଶୀତର ମଜା ନେବା ପାଇଁ ଜିଲା ତଥା ଜିଲା ବାହାରୁ ପର୍ଯ୍ୟଟକ ଦାରିଙ୍ଗବାଡ଼ି ଆସୁଛନ୍ତି। ପ୍ରବଳ ଶୀତ ପଡ଼ିବାରୁ ଶନିବାରରୁ ୫ ଦିନିଆ ଶୀତ ଉତ୍ସବ ହେବାକୁ ରହିଥିବାରୁ ଅଞ୍ଚଳରେ ଖୁସିର ଲହର ଖେଳିଯାଇଛି।
ସୂଚନାଯୋଗ୍ୟ, ସପ୍ତାହକ ମଧ୍ୟରେ ପାଗ ମେଘୁଆ ସହ କୋହଲା ପବନ ସହ ମଝିରେ ମଝିରେ ବିଭିନ୍ନ ସ୍ଥାନରେ ଝିପିଝିପି ବର୍ଷା ହୋଇଥିଲା। ଫଳରେ କୋହଲା ପାଗ ଯୋଗୁ ଦିନରେ ଶୀତ ହେଉଥିବା ବେଳେ ରାତିରେ ତାପମାତ୍ରା ବୃଦ୍ଧି ପାଉଥିଲା। ତେବେ ଶୁକ୍ରବାରଠାରୁ ସନ୍ଧ୍ୟାରେ ପୁଣି ଶୀତ ବୃଦ୍ଧି ପାଉଥିଲା। ଏବେ ପାଗ ଶୁଖିଲା ସହ ଦିନରେ ଖରା ହେବା ସହ ଅପରାହ୍ନରୁ ଶୀତର ପ୍ରକୋପ ବୃଦ୍ଧି ପାଉଛି ।