ଫେରୁଛି ଶୀତ: ୫ ଡିଗ୍ରୀ ତଳକୁ ଖସିଲା ୧୨ ସହର

ଭୁବନେଶ୍ୱର,୧୫।୧(ବ୍ୟୁରୋ): ଗତ କିଛି ଦିନ ଶୀତ ଗାଏବ ହେବା ପରେ ପୁଣି ଥରେ ଝଲକ ଦେଖାଇଛି। ଆଭ୍ୟନ୍ତୀଣ ଓଡିଶାରେ ପାରଦ ୩ରୁ ୫ ଡିଗ୍ରୀ ସେଲସିୟସ୍‌ ତଳକୁ ଖସିଛି। ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ରାଜ୍ୟର ୧୨ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୧୫ ଡିଗ୍ରୀ ତଳକୁ ଖସିଛି। ଝାରସୁଗୁଡାରେ ସର୍ବନିମ୍ନ ତାପମାତ୍ରା ୮ .୬ ଡିଗ୍ରୀ ସେଲ୍‌ସିୟସ୍‌ ଥିବା ବେଳେ ଫୁଲବାଣୀ ୯.୫, ଦାରିଙ୍ଗବାଡି ୧୧.୨, ସୁନ୍ଦରଗଡ ୧୧, ବଲାଙ୍ଗୀର ୧୨, ସୋନପୁର ୧୩, କୋରାପୁଟ ୧୩.୨, ସମ୍ବଲପୁର ୧୩.୨, ହୀରାକୁଦ ୧୩.୬, ଭାବାନୀପାଟଣା ୧୩.୫, ଟିଟଲାଗଡ ୧୪.୫, କେନ୍ଦୁଝରରେ ସର୍ବନିମ୍ନ ତାପମାତ୍ରା ୧୪.୮ ଡିଗ୍ରୀ ସେଲସିୟସକୁ ହ୍ରାସ ପାଇଛି। ଆସନ୍ତା ଦୁଇ ଦିନ ଆଭ୍ୟନ୍ତରୀଣ ଓଡିଶାରେ ଶୀତ ଲହରି ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଶୁକ୍ରବାର ଓ ଶନିବାର ସୁନ୍ଦରଗଡ ଓ ଝାରସୁଗୁଡା ଜିଲାର କେତେକ ସ୍ଥାନରେ ଥଣ୍ଡା ଲହରି ପ୍ରବାହିତ ହେବ । ଏ ନେଇ ପାଣିପାଗ ବିଭାଗ ପକ୍ଷରୁ ଏଲୋଓ୍ବାନିଂ ଜାରି କରାଯାଇଛି। ଉପକୂଳ ଜିଲାରେ କୁହୁଡି ହେବାର ସମ୍ଭାବନା ରହିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଅନୁଗୋଳ, ବୌଦ୍ଧ, ନୟାଗଡ, କଟକ, ଖୋର୍ଦ୍ଧା, ପୁରୀ ଏବଂ କନ୍ଧମାଳ ଜିଲାର ଗୋଟିଏ ଦୁଇଟି ସ୍ଥାନରେ ଘନକୁହୁଡି ହେବାର ସମ୍ଭାବନା ରହିଛି।

Share