Advertisement

ବଢୁଛି ଶୀତ: ୧୦ ଡିଗ୍ରୀ ତଳକୁ ଖସିଲା ପାରଦ

ଦାରିଙ୍ଗବାଡି, ୧୨।୧୨(ଅରୁଣ ସାହୁ)-ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡି ଅଞ୍ଚଳରେ ପାରଦ ତଳ ମୁହାଁ ହୋଇଛି। ସକାଳ ଶୀତ ବୃଦ୍ଧି ପାଇବା ସହ ସଞ୍ଜ ଆସିଲେ ଶୀତର ପ୍ରକୋପ ଧୀରେ ଧୀରେ ବଢିବା ସହ ପାରଦ ଖସୁଛି। ମଙ୍ଗଳବାର ସକାଳ ୮ଟା ସୁଦ୍ଧା ତାପମାତ୍ରା ହ୍ରାସ ପାଇ ୯ ଡିଗ୍ରୀରେ ପହଞ୍ଚିଛି। ଉକ୍ତ ବ୍ଲକର ଆଭ୍ୟନ୍ତରୀଣ ଅଞ୍ଚଳରେ ଏହାଠାରୁ ଆହୁରି କମ ତାପମାତ୍ରା ରହିଛି। ପର୍ତ୍ତମାହା, ଦନେକବାଡି, ସିଆଙ୍ଗବାଲି, ସିର୍କାବର୍ଗ, ଦାସିଙ୍ଗବାଡି, ତିଲୋରୀ, ଗୁମିକିଆ, ବୁଡ଼ାଗୁଡା, ତାଜୁଙ୍ଗିଆ, ହାତୀମୁଣ୍ଡା ଆଦି ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ଜାଡ଼ ଅନୁଭୂତ ହୋଇଥିବା ଅଞ୍ଚଳବାସୀ କହିଛନ୍ତି। ବିଭିନ୍ନ ସ୍ଥାନରେ ଶୀତରୁ ତ୍ରାହି ପାଇବା ପାଇଁ ଲୋକମାନେ ନିଆଁର ସାହାରା ନେଉଥିବା ଦେଖିବାକୁ ମିଳୁଛି ସନ୍ଧ୍ୟା ହେଲେ ବଜାରଘାଟ ଜନଶୂନ୍ୟ ହୋଇଯାଉଛି ବିଶେଷ କାର୍ଯ୍ୟ ନ ଥିଲେ ଲୋକମାନେ ଘରୁ ପଦାକୁ ବାହାରୁନାହାନ୍ତି। କାମଧନ୍ଦା ପାଇଁ ପୂର୍ବାହ୍ନ ୧୦ଟା ପରେ ହିଁ ଲୋକ ଯାଉଥିବା ଜଣାପଡିଛି।
ସୂଚନାଯୋଗ୍ୟ, ଗତ କିଛିଦିନ ହେଲା ବାତ୍ୟାର ପ୍ରଭାବରେ ପାଗ ମେଘୁଆ ରହିବା ସହ ମଝିରେ ମଝିରେ ଝିପିଝିପି ବର୍ଷା ହୋଇଥିଲା। ଫଳରେ ଦିନରେ କୋହଲା ପାଗ ଯୋଗୁ ଶୀତ ହେଉଥିବା୍‌ବେଳେ ରାତିରେ ତାପମାତ୍ରା ବୃଦ୍ଧି ପାଇ ସର୍ବନିମ୍ନ ୧୫ ଡିଗ୍ରୀରୁ ଅଧିକା ରହୁଥିଲା। କହିବାକୁ ଗଲେ ଅଞ୍ଚଳରୁ ଏକ ପ୍ରକାରର ଶୀତ ଉଦ୍ଭାନ ହୋଇଯାଇଥିଲା ପୁଣି ମଙ୍ଗଳବାରଠାରୁ ଶୀତ ଫେରିଛି। ପୂର୍ବରୁ ପର୍ଯ୍ୟଟକ ଶୀତ ନ ଥିବାରୁ ନିରାଶ ହୋଇଥିବା ବେଳେ ଶୀତ ଫେରିବାରୁ ଦାରିଙ୍ଗବାଡି ଆସିଥିବା ପର୍ଯ୍ୟଟକଙ୍କ ମହଲରେ ପୁଣି ଖୁସିର ମାହୋଲ ସୃଷ୍ଟି ହୋଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel