୧୬ ପରେ ବଢ଼ିପାରେ ଶୀତ: ୩ ଦିନ ପର୍ଯ୍ୟନ୍ତ ଶୁଖିଲା ରହିବ ପାଗ

ଭୁବନେଶ୍ୱର,୧୩ା୧୧(ଅନୁରାଧା ମହାରଣା):ରାଜ୍ୟରେ ବର୍ତ୍ତମାନ କୌଣସି ନିର୍ଦ୍ଦିଷ୍ଟ ପାଣିପାଗ ନିୟାମକ ସକ୍ରିୟ ନ ଥିବାବେଳେ ଅଧିକାଂଶ ସ୍ଥାନରେ ପାଗ ଶୁଖିଲା ରହୁଛି। ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ସର୍ବନିମ୍ନ ତାପମାତ୍ରା କିଛି ପରିମାଣରେ ହ୍ରାସ ପାଇଥିବାବେଳେ ଅନ୍ୟାନ୍ୟ ସ୍ଥାନରେ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହୋଇନାହିଁ। ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ସ୍ଥାନରେ ତାପମାତ୍ରା ସ୍ବାଭାବିକ ଠାରୁ ଅଧିକ ରେକର୍ଡ କରାଯାଉଥିବାବେଳେ ଗୋଟିଏ ଦୁଇଟି ସ୍ଥାନରେ ସ୍ବାଭାବିକଠାରୁ କମ୍‌ ରହୁଛି। ଆସନ୍ତା ୧୬ ତାରିଖ ପରେ ରାଜ୍ୟରେ ଶୀତ ବଢ଼ିପାରେ। ବୁଧବାର କୋରାପୁଟ, ମାଲକାନଗିରି, ରାୟଗଡ଼ା, ଗଜପତି ଓ ଗଞ୍ଜାମ ଜିଲାର ଗୋଟିଏ ଦୁଇଟି ସ୍ଥାନକୁ ବାଦ୍‌ ଦେଲେ ଅନ୍ୟାନ୍ୟ ସ୍ଥାନରେ ପାଗ ପ୍ରାୟ ଶୁଖିଲା ରହିବ। ଆସନ୍ତା ୩ଦିନ ପର୍ଯ୍ୟନ୍ତ ପାଣିପାଗରେ ବିଶେଷ ପରିବର୍ତ୍ତନ ପରିଲକ୍ଷିତ ହେବ ନାହିଁ। ମାତ୍ର ପରବର୍ତ୍ତୀ ୪ଦିନ ମଧ୍ୟରେ ରାଜ୍ୟରେ ତାପମାତ୍ରା ୨ରୁ ୪ ଡିଗ୍ରୀ ସେଲସିୟସ୍‌ ହ୍ରାସ ପାଇପାରେ।

Share