ସେପ୍ଟେମ୍ବର ସରିଲାଣି: ଆସିନି ଶୀତ, ପର୍ଯ୍ୟଟକ ନିରାଶ

ଦାରିଙ୍ଗବାଡ଼ି,୨୯ା୯(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ି ଅଞ୍ଚଳକୁ ଶୀତ ଆସିବାର ବିଳମ୍ବକୁ ନେଇ ଉଦ୍‌ବେଗ ପ୍ରକାଶ ପାଇଛି। ଦିନକୁ ଦିନ ଜଳବାୟୁର ପରିବର୍ତ୍ତନର ପ୍ରଭାବରେ ବର୍ଷାର ଅନିୟମିତତା ସହ ଗ୍ରୀଷ୍ମ ଋତୁରେ ପ୍ରଚଣ୍ଡ ଗରମ ଅନୁଭୂତି ହେବା ଆଉ ସେପ୍ଟେମ୍ବରରୁ ଶୀତ ଆରମ୍ଭ ହେଉଥିବା ନଜିର ରହିଥିବା ବେଳେ ଚଳିତ ବର୍ଷ ସେପ୍ଟେମ୍ବର ସରିବାକୁ ବସିଲାଣି ଆଉ ୨ ଦିନ ପରେ ଅକ୍ଟୋବର ଆରମ୍ଭ ହେବ କିନ୍ତୁ ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ଅଦ୍ୟାବଧି ଶୀତ ପ୍ରବେଶ କରିନାହିଁ। ଫଳରେ ଅଞ୍ଚଳବାସୀ ନିରାଶ ହେବା ସହ ଶୀତର ମଜା ନେବାକୁ ଆସୁଥିବା ରାଜ୍ୟ ତଥା ରାଜ୍ୟ ବାହାର ପର୍ଯ୍ୟଟକମାନେ ନିରାଶ ହେଉଛନ୍ତି। ଆଉ କିଛିଦିନ ପରେ ଶାରଦୀୟ ଛୁଟି କାଟିବାକୁ ପର୍ଯ୍ୟଟକ ଦାରିଙ୍ଗବାଡ଼ି ଆସିବାକୁ ପ୍ରସ୍ତୁତି ହୋଇ ଆଗୁଆ ହୋଟେଲ ବୁକିଂ କରିସାରିଥିବାବେଳେ ଯଦି ସେହି ଛୁଟି ସମୟ ସୁଦ୍ଧା ଶୀତ ଆସି ନ ଥାଏ ତେବେ ପର୍ଯ୍ୟଟକ ନିରାଶ ହେବା ଆଶଙ୍କା ରହିଛି।
ପ୍ରକାଶ ଯେ, ସେପ୍ଟେମ୍ବରରେ ଶୀତ ପ୍ରବେଶ କରିଥାଏ। ଏଥିପାଇଁ ଅଞ୍ଚଳବାସୀ ନୂଆ ଶୀତବସ୍ତ୍ର କିଣିବା ଆରମ୍ଭ କରିଥାନ୍ତି। ଆଉ କିଛି ଲୋକ ସାଇତି ରଖିଥିବା ଶୀତବସ୍ତ୍ରକୁ ଏହି ମାସରେ ବାହାର କରି ବ୍ୟବହାର କରିଥାନ୍ତି କିନ୍ତୁ ଏବେ ତାହା ବ୍ୟତିକ୍ରମ ହୋଇଥିବା ଦେଖିବାକୁ ମିଳୁଛି ଏବେ ପର୍ଯ୍ୟନ୍ତ ବିନା ଫ୍ୟାନ୍‌, କୁଲର ଆଉ ଏସିର ବ୍ୟବହାର ଜାରି ରହିଛି। ଯାହାକି ଜଳବାୟୁ ପରିବର୍ତ୍ତନର ବଡ଼ ପ୍ରଭାବ ପଡ଼ିଥିବା ପରିବେଶବିତ୍‌ମାନେ ଉଦ୍‌ବେଗ ପ୍ରକାଶ କରିଛନ୍ତି। ବ୍ୟାପକ ପ୍ଲାଷ୍ଟିକ୍‌, ପଲିଥିନ୍‌ ବ୍ୟବହାରର ମୁଖ୍ୟ କାରଣ ବୋଲି କୁହାଯାଉଛି। ଆଗକୁ ଶୀତ ପ୍ରବେଶ ନ କଲେ ଚଳିତବର୍ଷ ପର୍ଯ୍ୟଟକ ଦାରିଙ୍ଗବାଡ଼ି ଆସିବାକୁ ମୁହଁ ଫେରାଇବେ ବୋଲି ଆଶଙ୍କା କରାଯାଇଛି।

Share