ନୂଆଦିଲ୍ଲୀ,୨୦।୧୨ : ସଂସଦର ବର୍ତ୍ତମାନର ଶୀତ ଅଧିବେଶନ ନିର୍ଦ୍ଧାରିତ ସମୟର ଏକ ସପ୍ତାହ ପୂର୍ବରୁ ଶୁକ୍ରବାର ଦିନ ଶେଷ ହେବାର ସମ୍ଭାବନା ରହିଛି। ମଙ୍ଗଳବାର ଏକ ସୂତ୍ରରୁ ଏହି ସୂଚନା ମିଳିଛି। ସୂଚନାନୁସାରେ, ଲୋକ ସଭା ଓ ରାଜ୍ୟ ସଭାର କାର୍ଯ୍ୟକ୍ରମ ସ୍ଥିର କରୁଥିବା ଏବଂ ଲୋକସଭା ବାଚସ୍ପତିଙ୍କ ନେତୃତ୍ୱରେ ବ୍ୟବସାୟ ପରାମର୍ଶଦାତା କମିଟିର ଏକ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।
ସୂଚନାନୁସାରେ, ଖ୍ରୀଷ୍ଟମାସ ଏବଂ ନୂତନ ବର୍ଷର ଉତ୍ସବକୁ ଦର୍ଶାଇ ଅନେକ ବିରୋଧୀଦଳ ସରକାର ତଥା ଲୋକ ସଭା ବାଚସ୍ପତିଙ୍କୁ ଶୀତ ଅଧିବେଶନକୁ ଶୀଘ୍ର ଶେଷ କରିବାକୁ ଅନୁରୋଧ କରିଥିଲେ।
ସଂସଦର ଶୀତକାଳୀନ ଅଧିବେଶନ ୭ ଡିସେମ୍ବରରୁ ଆରମ୍ଭ ହୋଇଥିଲା । ବିରୋଧୀଙ୍କ ହଟ୍ଟଗୋଳ କାରଣରୁ ଉଭୟ ଗୃହର ପ୍ରକ୍ରିୟା ବାରମ୍ବାର ସ୍ଥଗିତ ରଖିବାକୁ ପଡିଥିଲା। ଅରୁଣାଚଳ ପ୍ରଦେଶରେ ଚାଇନା ସହ ସଂଘର୍ଷ ପ୍ରସଙ୍ଗରେ ଶାସକ ଦଳର ସଦସ୍ୟ ଏବଂ ବିରୋଧୀଙ୍କ ମଧ୍ୟରେ ଉତ୍ତେଜନା ଜାରି ରହିଥିଲା।
ଶୀତ ଅଧିବେଶନ ଡିସେମ୍ବର ୨୯ରେ ଶେଷ ହେବାର ଥିଲା। ତେବେ ଏବେ ଏହାକୁ ସପ୍ତାହେ ପୂର୍ବରୁ ଡିସେମ୍ବର ୨୩ରେ ଶେଷ କରାଯିବା ନେଇ ଚର୍ଚ୍ଚା ହେଉଛି।