Categories: ଜାତୀୟ

୨୯ରୁ ପାର୍ଲାମେଣ୍ଟ ଶୀତ ଅଧିବେଶନ

ନୂଆଦିଲ୍ଲୀ, ୮।୧୧: ନଭେମ୍ବର ୨୯ରୁ ପାର୍ଲାମେଣ୍ଟର ଶୀତ ଅଧିବେଶନ ଆରମ୍ଭ ହୋଇ ଡିସେମ୍ବର ୨୩ ପର୍ଯ୍ୟନ୍ତ ଚାଲିବ। ସଂସଦୀୟ ବ୍ୟାପାର ସମ୍ପର୍କିତ କ୍ୟାବିନେଟ କମିଟି (ସିସିପିଏ) ସୋମବାର ଏନେଇ ସୁପାରିସ କରିଛି। ପୂର୍ବ ଅଧିବେଶନ ଭଳି ଏଥର ମଧ୍ୟ କୋଭିଡ୍‌-୧୯ ନିୟମାବଳୀ ଅନୁଯାୟୀ ଶୀତ ଅଧିବେଶନ ଅନୁଷ୍ଠିତ ହେବ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ସିସିପିଏ ବୈଠକ ହୋଇଥିଲା।

ବୈଠକ ସୁପାରିସ ଅନୁଯାୟୀ ଅଧିବେଶନରେ ୨୦ଟି କାର୍ଯ୍ୟଦିବସ ରହିବ। ଉଭୟ ରାଜ୍ୟ ସଭା ଓ ଲୋକ ସଭା ଅଧିବେଶନ ସାଙ୍ଗରେ ଚାଲିବ। ଏନେଇ ସଦସ୍ୟମାନଙ୍କୁ ସାମାଜିକ ଦୂରତ୍ୱ ବଜାୟ ରଖିବାକୁ ହେବ। ଏମ୍‌ପିମାନଙ୍କ ସମେତ ଯେଉଁମାନେ ପାର୍ଲାମେଣ୍ଟରେ ଉପସ୍ଥିତ ରହିବେ, ସେମାନଙ୍କୁ ମାସ୍କ ପରିଧାନ କରିବାକୁ ପଡ଼ିବ। ଅଧିବେଶନ ପୂର୍ବରୁ ସମସ୍ତଙ୍କୁ କୋଭିଡ୍‌-୧୯ ପରୀକ୍ଷା କରାଇନେବାକୁ କୁହାଯାଇପାରେ। ଉତ୍ତରପ୍ରଦେଶ ସମେତ ୫ ରାଜ୍ୟ ବିଧାନସଭା ନିର୍ବାଚନ ପୂର୍ବରୁ ବସିବାକୁ ଥିବା ଏହି ଅଧିବେଶନ ବେଶ୍‌ ଗୁରୁତ୍ୱପୂର୍ଣ୍ଣ ।

ବିରୋଧୀ ପେଟ୍ରୋଲ, ଡିଜେଲ, ଖାଇବା ତେଲ ଦର ବୃଦ୍ଧି, ଆକାଶଛୁଆଁ ଦରଦାମ୍‌, କଶ୍ମୀରରେ ସାଧାରଣ ଲୋକଙ୍କୁ ଟାର୍ଗେଟ କରି ଆତଙ୍କବାଦୀ ଆକ୍ରମଣ, ଲଖିମପୁର ଖେରି ହିଂସା ଏବଂ କୃଷି ଆଇନ ବିରୋଧରେ ଚାଷୀ ଆନ୍ଦୋଳନକୁ ନେଇ ସରକାରଙ୍କୁ ଘେରିପାରନ୍ତି। ଗତ ମୌସୁମୀ ଅଧିବେଶନ ବେଳେ ପେଗାସସ୍‌ ସ୍ପାଏଓ୍ବେର ପ୍ରସଙ୍ଗ ଏବଂ କୃଷି ଆଇନ ପ୍ରତ୍ୟାହାର ଦାବି ନେଇ ଅଧିକାଂଶ ସମୟ ଗୃହ ଅଚଳ ରହିଥିଲା। ନିର୍ଦ୍ଧାରିତ ସମୟର ୨ ଦିନ ପୂର୍ବରୁ ଅଧିବେଶନକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରାଯାଇଥିଲା।

Share