”ଶୀତଦିନେ ସାଧାରଣତଃ ଥଣ୍ଡାର ପ୍ରକୋପ ହେତୁ ଆମ ଦେହର ବାହ୍ୟଭାଗ ଚର୍ମରେ ରହିଥିବା ଆଦ୍ରତାର ପରିମାଣ ହ୍ରାସ ପାଇବା ହେତୁ ଚର୍ମ ଶୁଷ୍କତା ହୋଇ ବିଭିନ୍ନ ରୋଗ ଦେଖାଦେଇଥାଏ। ବିଇଞ୍ଚି ଘା, କୁଣ୍ଡିଆ, ଶିଶୁଙ୍କ ଚର୍ମରେ ବିସ୍ଫୋଟ(ବ୍ରଣ ପରି ଛୋଟ ଛୋଟ), ଲାଲ କାତି ପରି ଦାଗ ହୋଇଥିବା ଚର୍ମ ରୋଗ(Psoriasis), ହାତ ଗୋଡ଼ର ଚର୍ମ ଫାଟିବା, ଓଠ ଫାଟିବା ସହ ଥଣ୍ଡାଜନିତ ଜଳବାୟୁ ଚର୍ମର ସଂସ୍ପର୍ଶରେ ଆସି ବିଭିନ୍ନ ଚର୍ମରୋଗ ଦେଖାଦେଇଥାଏ।“
ବିଭିନ୍ନ ଋତୁରେ ଭିନ୍ନ ଭିନ୍ନ ରୋଗ ଦେଖାଦେଇଥାଏ। ବିଶେଷଭାବରେ ଶୀତଦିନେ କେତେକ ରୋଗ ଦ୍ୱାରା ଆମେ ଆକ୍ରାନ୍ତ ହୋଇଥାଉ। କେବଳ ଛୋଟ ପିଲା ନୁହନ୍ତି, ଗର୍ଭବତୀ, ବୟସ୍କ ବ୍ୟକ୍ତିଙ୍କ ବ୍ୟତୀତ ଯୁବପିଢ଼ି ମଧ୍ୟ ଏହି ଶୀତଦିନିଆ ରୋଗର ଶିକାର ହୋଇଥାନ୍ତି। ସେହିଭଳି ଆମ ଭାରତରେ ଶୀତଋତୁର ଆଗମନ ହେଲେ ସାଧାରଣତଃ ପ୍ରାୟ ସମସ୍ତଙ୍କୁ ଥଣ୍ଡା, ଜ୍ୱର, କାଶ ସମେତ ବିଭିନ୍ନ ଚର୍ମଜନିତ ରୋଗ ଯଥା ଯାଦୁ, କାଛୁ, କୁଣ୍ଡିଆ, ଶୁଷ୍କ ଚର୍ମ, ପାଦ ଫାଟିବା, ଜିଭ ଧରିବା, ଓଠ ଫାଟିବା, ମୁହଁରେ ଦାଗ ସୃଷ୍ଟି ହେବା ଆଦି ବିଭିନ୍ନ ଶୀତଋତୁଜନିତ ଚର୍ମରୋଗ ଦେଖାଦେଇଥାଏ। ଏହାର ମୁଖ୍ୟ କାରଣ ହେଲା ଶରୀରରେ ରୋଗପ୍ରତିରୋଧକ ଶକ୍ତି ହ୍ରାସ ପାଇବା। ଶୀତଋତୁରେ ହେଉଥିବା ଚର୍ମ ରୋଗଜନିତ ସ୍ବାସ୍ଥ୍ୟ ସମସ୍ୟାର ପ୍ରତିକାର ଓ ପ୍ରତିରୋଧ ନିମନ୍ତେ ଶରୀରରେ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ଘଟାଇବା ପାଇଁ ଭିଟାମିନ-ସି ଏବଂ ଭିଟାମିନ-ଡି ବୃଦ୍ଧି କରାଇବା ସହିତ ରୋଗର ପ୍ରତିକାର ଓ ପ୍ରତିରୋଧ ପାଇଁ ସଜାଗ ନିହାତି ଜରୁରୀ ଅଟେ।
କାର୍ତ୍ତିକ ମାସରୁ ଧୀରେ ଧୀରେ ଶୀତ ଅନୁଭୂତ ହେଉଥିଲେ ସୁଦ୍ଧା, ସେପ୍ଟେମ୍ବର ୨୩ ତାରିଖ ପରେ ପୃଥିବୀର ଉତ୍ତର ଗୋଲାର୍ଦ୍ଧ ସୂର୍ଯ୍ୟଙ୍କଠାରୁ କ୍ରମଶଃ ଦୂରତା ବଢ଼ିବା ଆରମ୍ଭ ହୋଇଥାଏ, ତା’ର ଫଳସ୍ବରୂପ ଉତ୍ତର ଗୋଲାର୍ଦ୍ଧରେ କ୍ରମଶଃ ଉତ୍ତାପ ହ୍ରାସ ପାଇ ଥଣ୍ଡାର ପ୍ରକୋପ କ୍ରମଶଃ ବୃଦ୍ଧି ପାଇଥାଏ। ସାଧାରଣତଃ ପୌଷ ଓ ମାଘ ମାସ ଏବଂ ଇଂରାଜୀ ମାସ ଅନୁସାରେ ନଭେମ୍ବର ଶେଷ ସପ୍ତାହରୁ ଜାନୁୟାରୀ ଶେଷ ସପ୍ତାହ ପର୍ଯ୍ୟନ୍ତ ଶୀତଋତୁ ଭାବେ ଗ୍ରହଣ କରାଯାଇଥାଏ। ଶୀତଦିନେ ସାଧାରଣତଃ ଥଣ୍ଡାର ପ୍ରକୋପ ହେତୁ ଆମ ଦେହର ବାହ୍ୟଭାଗ ଚର୍ମରେ ରହିଥିବା ଆଦ୍ରତାର ପରିମାଣ ହ୍ରାସ ପାଇବା ହେତୁ ଚର୍ମ ଶୁଷ୍କତା ହୋଇ ବିଭିନ୍ନ ରୋଗ ଦେଖାଦେଇଥାଏ। ବିଇଞ୍ଚି ଘା, କୁଣ୍ଡିଆ, ଶିଶୁଙ୍କ ଚର୍ମରେ ବିସ୍ଫୋଟ(ବ୍ରଣ ପରି ଛୋଟ ଛୋଟ), ଲାଲ କାତି ପରି ଦାଗ ହୋଇଥିବା ଚର୍ମ ରୋଗ(Psoriasis), ହାତ ଗୋଡ଼ର ଚର୍ମ ଫାଟିବା, ଓଠ ଫାଟିବା ସହ ଥଣ୍ଡାଜନିତ ଜଳବାୟୁ ଚର୍ମର ସଂସ୍ପର୍ଶରେ ଆସି ବିଭିନ୍ନ ଚର୍ମରୋଗ ଦେଖାଦେଇଥାଏ। ଶୀତଦିନେ ସାଧାରଣତଃ ବହୁତ ବ୍ୟକ୍ତିଙ୍କ ପାଦର ଗୋଇଠି ଓ ଆଙ୍ଗୁଠି ଫାଟିଥାଏ, ଏହାର ପ୍ରତିକାର ପାଇଁ ପାଦରେ ମୋଜା ବ୍ୟବହାର କରିବା ଦ୍ୱାରା ପାଦରୁ ଝାଳ ନିର୍ଗତ ହୋଇ ଆଦ୍ରତା ସୃଷ୍ଟି ହୋଇ ପାଦ ଫାଟିବାର ଆଶଙ୍କା କମ୍ ଥାଏ। ପାଦ ଫାଟିଲେ ରାତିରେ ଶୋଇବା ପୂର୍ବରୁ ଉଷୁମ ପାଣିରେ କିଛି ଲୁଣ ମିଶାଇ ସେଥିରେ ପାଦକୁ କିଛି ସମୟ ବୁଡାଇ ରଖି, ତା’ପରେ ପାଦକୁ ଭଲ ଭାବେ ଶୁଖିଲା କପଡାରେ ପୋଛି ପାଦରେ ନଡ଼ିଆ ତେଲ କିମ୍ବା ଭେସଲିନ ପତଳାରେ ଲଗାଇବା ଉଚିତ, ଯଦ୍ଦ୍ବାରା ପାଦ ଫଟାରୁ ଉପଶମ ମିଳିପାରିବ
ପ୍ରତିକାର : ଶୀତଦିନେ ଅଳ୍ପ ଉଷୁମ ଥିବା ଜଳରେ ଗାଧୋଇବା ସହ କମ୍ କ୍ଷାରୀୟ ଯୁକ୍ତ ସାବୁନ, ଗ୍ଲିସେରିନ, ଭେସଲିନ, ତୈଳଯୁକ୍ତ ପଦାର୍ଥ ଚର୍ମରେ ଲଗାଇବା ଉଚିତ। ଶୀତଦିନେ ପ୍ରାକୃତିକ ଉପାୟ ଦ୍ୱାରା ଓଠକୁ ସତେଜ ଓ ନରମ ରଖିବା ପାଇଁ ନିମ୍ନଲିଖିତ ଟିପ୍ସ ଆପଣେଇ ପାରନ୍ତି।
-ମହୁ ସହ ଚିନି ଓ ଆଲମଣ୍ଡ ତେଲକୁ ମିଶାଇ ଓଠରେ ମାଲିସ କଲେ ଓଠ ନରମ ହୋଇଥାଏ।
-ବିଟ୍କୁ ବାଟି ରସ ବାହାର କରି ଓଠରେ ମାଲିସ କଲେ ଓଠ ନରମ ଓ ସତେଜ ରହିଥାଏ।
-ଘିକୁଅଁାରୀ (ଆଲୋଭେରା) ରସରେ ମହୁ ମିଶାଇ ଓଠରେ ମାଲିସ କରିବା ଦ୍ୱାରା ଓଠ ନରମ, ସତେଜ ରହିଥାଏ।
-ନଡ଼ିଆରୁ ତେଲ ବାହାର କରି ଓଠରେ ମାଲିସ କଲେ ଓଠ ନରମ ଓ ସତେଜ ରହିବା ସହ ଆରାମ ଲାଗିଥାଏ। ଶୀତଋତୁରେ ଅଧିକ ପାଣି ପିଇବା ଉଚିତ, ଯଦ୍ଦ୍ବାରା ଶରୀରରେ ଜଳୀୟ ଅଂଶ ସନ୍ତୁଳିତ ହୋଇପାରିବ।
-ବିଭିନ୍ନ ପ୍ରକାର ସବୁଜ ପନିପରିବା ଅଧିକ ଖାଇବା ଆବଶ୍ୟକ। କାଲିଫର୍ନିଆ ବିଶ୍ୱ ବିଦ୍ୟାଳୟ ଦ୍ୱାରା ତଥ୍ୟ ଅନୁସାରେ, ସ୍ବାସ୍ଥ୍ୟ ପାଇଁ ଗ୍ରୀନ୍ ମଟର ଅତି ଉପକାରୀ,ଏହାକୁ ପ୍ରତିଦିନ ଖାଦ୍ୟରେ ଖାଇବା ଉଚିତ। କାରଣ ଏଥିରେ ଆଣ୍ଟି ଅକ୍ସିଡ଼ାଣ୍ଟ ଗୁଣ ଓ ତନ୍ତୁଜାତୀୟ ପଦାର୍ଥ ପର୍ଯ୍ୟାପ୍ତ ପରିମାଣରେ ଭରି ରହିଛି। ଏଥିରେ ଭିଟାମିନ-କେ ପ୍ରଚୁର ପରିମାଣରେ ରହିଛି। ତେଣୁ ଗ୍ରୀନ ମଟର ଅଧିକ ଖାଇବା ଦ୍ୱାରା ଶରୀରରେ ଉଚ୍ଚ ରକ୍ତ ଚାପକୁ ସନ୍ତୁଳିତ ରଖିବା ସହ ଶୀତଦିନେ ସ୍ବାସ୍ଥ୍ୟ ପାଇଁ ଆବଶ୍ୟକ ଭିଟାମିନକୁ ପୂରଣ କରିଥାଏ। ଗ୍ରୀନ ମଟରରେ ପ୍ରସ୍ତୁତ ଖାଦ୍ୟ ଖାଇବା ଦ୍ୱାରା ଶରୀରରେ ଭିଟାମିନ-ଏ, ବି, ସି, ଡି, ଇ, କେ’ ର ଆବଶ୍ୟକତା ପୂରଣ ହେବା ସହ,ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ। ତା’ ସହ ଚର୍ମ ରୋଗକୁ ପ୍ରତିରୋଧ କରାଇବାରେ ସାହାଯ୍ୟ କରିଥାଏ। ଏହାବ୍ୟତୀତ ଅତ୍ୟଧିକ ଲୁଣ, ମିଠା ଯେତେ କମ୍ ଖାଇବେ ତାହା ସେତେ ଭଲ। ଶରୀରରେ ହଜମ ପ୍ରକ୍ରିୟା ସୁଦୃଢ଼ ନିମନ୍ତେ ଏବଂ କୋଷ୍ଠକାଠିନ୍ୟ ସମସ୍ୟା ଦୂରୀକରଣ ପାଇଁ ଉଷୁମ ଜଳ ସକାଳେ ଓ ରାତିରେ ଶୋଇବା ସମୟରେ ଅନ୍ତତଃ ଏକ ଗ୍ଲାସ ଲେଖାଏ ସେବନ କରିବା ଉଚିତ। ଅନ୍ୟ ଋତୁ ଅପକ୍ଷା ଶୀତଋତୁରେ ଦୈନନ୍ଦିନ ଜୀବନ ଶୈଳୀ, ନିଜର ସ୍ବାସ୍ଥ୍ୟ ଓ ରୋଗପ୍ରତିରୋଧକ ଶକ୍ତିକୁ ବୃଦ୍ଧି ନିମନ୍ତେ ସ୍ବତନ୍ତ୍ର ଧ୍ୟାନ ଦେବା ଜରୁରୀ ଅଟେ, ଯଦ୍ଦ୍ବାରା ଶୀତଦିନିଆ ଚର୍ମ ରୋଗକୁ ଆମେ ପ୍ରତିରୋଧ କରିପାରିବା।
ଶରୀରରେ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ନିମନ୍ତେ ଭିଟାମିନ-ଡି’ର ଆବଶ୍ୟକତାକୁ ପୂରଣ କରିବା ପାଇଁ ସକାଳର ସୂର୍ଯ୍ୟକିରଣରେ ଏବଂ ସନ୍ଧ୍ୟାରେ ୩-୪ କି.ମି. ପାଦରେ ଚାଲିବା ସହ ପ୍ରାତଃ ଓ ସାନ୍ଧ୍ୟକାଳୀନ ବ୍ୟାୟାମ କରିବା ଆବଶ୍ୟକ। ଫଳରେ ଶରୀରରୁ ଝାଳ ନିର୍ଗତ ହେବା ଦ୍ୱାରା ଚର୍ମରେ ଶୁଷ୍କତା ଦୂର ହୋଇ ଆଦ୍ରତା ସୃଷ୍ଟି ହୋଇଥାଏ,ଯଦ୍ଦ୍ବାରା ଶୀତଦିନେ ଶରୀର୍ରେ ଚର୍ମ ରୋଗ ହେବାର ଆଶଙ୍କା କମ୍ ଥାଏ।
ଆମ ଭାରତୀୟ ପାରମ୍ପରିକ ଆୟୁର୍ବେଦ ଚିକିତ୍ସା ଶାସ୍ତ୍ରରେ ଚର୍ମ ରୋଗ ଓ ତା’ର ପ୍ରତିକାର ନିମନ୍ତେ ବିଭିନ୍ନ ଆୟୁର୍ବେଦୀୟ ଔଷଧ ବ୍ୟବହାର ବିଷୟରେ ଉଲ୍ଲେଖ ରହିଛି। ସେହି ଆୟୁର୍ବେଦ ଔଷଧକୁ ଡାକ୍ତରଙ୍କ ପରାମର୍ଶ ନେଇ ବ୍ୟବହାର କରିବା ଉଚିତ। ଶରୀରରେ ରକ୍ତ ପରିଷ୍କାର ନିମନ୍ତେ ସାରିବାଦ୍ୟା ରିଷ୍ଟ କିମ୍ବା ସାରିବାଦ୍ୟା ସବ କିମ୍ବା ଖଦିରା ରିଷ୍ଟ ୧୦ ମିଲି ଲେଖାଏ ଗରମ ପାଣି ଥଣ୍ଡା କରି ମିଶାଇ ଖାଲି ପେଟରେ ଦୁଇ ବେଳା ସେବନ କଲେ ବିଭିନ୍ନ ଚର୍ମରୋଗରୁ ଉପଶମ ମିଳିଥାଏ। ଟୋପ ଚିନି ରସାୟନ ଦୁଇ ଚାମଚ, ଖାଲିପେଟରେ ସକାଳ ଓ ସନ୍ଧ୍ୟାରେ ଉଷୁମ କ୍ଷୀର କିମ୍ବା ଉଷୁମ ଜଳ ସହ ସେବନ କଲେ ବହୁ ପୁରାତନ ବିଭିନ୍ନ ପ୍ରକାର ଚର୍ମ ରୋଗରୁ ଉପଶମ ମିଳିଥାଏ।
ଶାଫି ସିରଫକୁ ଦୁଇ ବେଳା ଖାଲି ପେଟରେ ୧୦ ମିଲି ଲେଖାଏ ଗରମ ପାଣି ଥଣ୍ଡାକରି ମିଶାଇ ସେବନ କଲେ ସମସ୍ତ ପ୍ରକାର ଚର୍ମ ରୋଗ ଭଲ ହୋଇଥାଏ। ଚର୍ମ ରୋଗରେ ଅଧିକ ଲୁଣ ଓ ମିଠା ଖାଇବା ଅନୁଚିତ।
ଡା. ବସନ୍ତ କୁମାର ଷଡ଼ଙ୍ଗୀ
-ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଚନ୍ଦାହାଣ୍ଡି, ନବରଙ୍ଗପୁର
ମୋ : ୭୮୯୪୧୧୨୪୮୭