ନୂଆଦିଲ୍ଲୀ, ୨୬।୯: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ତ୍ରୟୋଦଶ ସଂସ୍କରଣର ପ୍ରଥମ ସପ୍ତାହ ଇତିମଧ୍ୟରେ ପୂରଣ ହୋଇସାରିଛି। ଏହା ମଧ୍ୟରେ ୭ଟି ମ୍ୟାଚ୍ ଖେଳାଯାଇଥିବାବେଳେ ଏଭଳି କିଛି ଘଟଣା ଘଟିଛି ଯାହା, ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଦେଇଛି। ଚେନ୍ନାଇ ସୁପର୍ କିଙ୍ଗ୍ସ ଭଳି ଶକ୍ତିଶାଳୀ ଦଳର ନୈରାଶ୍ୟଜନକ ପ୍ରଦର୍ଶନ ଜାରି ରହିଥିବାବେଳେ ଦିଲ୍ଲୀ କ୍ୟାପିଟାଲ୍ସ ଓ କିଙ୍ଗ୍ସ ଇଲେଭେନ୍ ପଞ୍ଜାବ ଭଳି ଦଳ ପ୍ରଭାବୀ ପ୍ରଦର୍ଶନ କରିଛନ୍ତି। ୟୁଏଇ ପିଚ୍ରେ ଛକାର ବର୍ଷା ମଧ୍ୟ ଦେଖିବାକୁ ମିଳିଛି। ଟୁର୍ନାମେଣ୍ଟରେ ବର୍ତ୍ତମାନ ସୁଦ୍ଧା ୭ ମ୍ୟାଚ୍ରେ ମୋଟ୍ ୭୭ ଛକା ହୋଇସାରିଛି। ସବୁଠାରୁ ଅଧିକ ଛକା ଶାରଜା ଗ୍ରାଉଣ୍ଡରେ ଦେଖିବାକୁ ମିଳିଛି। ଯେଉଁଠାରେ କେବଳ ଗୋଟିଏ ମ୍ୟାଚ୍ରେ ୩୩ ଛକା ହୋଇଥିଲା।
ଆଇପିଏଲ୍ର ପ୍ରଥମ ସପ୍ତାହରେ ଫିଲ୍ଡର ଅନେକ କ୍ୟାଚ୍ ହାତଛଡ଼ା କରିଛନ୍ତି। ବିରାଟ କୋହଲି ଓ ଶ୍ରେୟାସ ଆୟାରଙ୍କ ଭଳି ଚମତ୍କାର ଫିଲ୍ଡର ମଧ୍ୟ କ୍ୟାଚ୍ ଡ୍ରପ୍ କରିଥିବାର ନଜିର ରହିଛି। ପ୍ରଥମ ୭ଟି ମ୍ୟାଚ୍ରେ ମୋଟ୍ ୧୭ କ୍ୟାଡ୍ ଡ୍ରପ୍ ହୋଇଛି। ସେଥିମଧ୍ୟରୁ ଦୁବାଇ ଗ୍ରାଉଣ୍ଡରେ ସର୍ବାଧିକ ୧୩ଟି କ୍ୟାଚ୍ ଧରିବାରେ ଫିଲ୍ଡର ବିଫଳ ହୋଇଛନ୍ତି। ସବୁଠାରୁ ଅଧିକ କ୍ୟାଚ୍ ଛାଡ଼ିଥିବା ଟିମ୍ ତାଲିକାରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (୬ଟି) ସର୍ବାଗ୍ରେ ରହିଛି। ଅପରପକ୍ଷରେ ପ୍ରଥମ ବ୍ୟାଟିଂ କରିଥିବା ଟିମ୍ ଫାଇଦାରେ ରହିଛି। ପ୍ରଥମ ସପ୍ତାହରେ ଖେଳାଯାଇଥିବା ୭ ମ୍ୟାଚ୍ରୁ ୬ଟି ଟିମ୍ ପ୍ରଥମେ ବ୍ୟାଟିଂ କରି ବିଜୟ ଲାଭ କରିଛନ୍ତି।