Categories: ଜାତୀୟ

ମୋଦିଙ୍କ କ୍ୟାବିନେଟରେ ଜ୍ୟୋତିରାଦିତ୍ୟ ସବୁଠୁ ଧନୀ ମନ୍ତ୍ରୀ, ଜାଣନ୍ତୁ ସମ୍ପତ୍ତି କେତେ

ନୂଆଦିଲ୍ଲୀ, ୧୦।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିକଟରେ ସମ୍ପ୍ରସାରିତ କରିଥିବା କ୍ୟାବିନେଟରେ ୪୨ ପ୍ରତିଶତ ମନ୍ତ୍ରୀଙ୍କ ନାଁରେ ଆପରାଧିକ ମାମଲା ରହିଥିବା ଜଣାପଡ଼ିଛି। ଗତ ବୁଧବାର ପ୍ରଧାନମନ୍ତ୍ର ତାଙ୍କ ମନ୍ତ୍ରିମଣ୍ଡଳରେ ୩୬ ନୂଆ ମୁହଁଙ୍କୁ ସାମିଲ କରିବା ପରେ ମୋଟ ମନ୍ତ୍ରୀସଂଖ୍ୟା ୭୮ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୩୩ ଜଣ (୪୨%)ଙ୍କ ନାଁରେ ଆପରାଧିକ ମାମଲା ରହିଛି। ୨୪ ମନ୍ତ୍ରୀଙ୍କ ନାଁରେ ହତ୍ୟା, ହତ୍ୟା ଉଦ୍ୟମ, ଡକାୟତି ଭଳି ସଙ୍ଗୀନ ମାମଲା ରହିଥିବା ନିର୍ବାଚନ ଅଧିକାରୀ ସଂଗଠନ ଆସୋସିଏଶନ ଫର୍‌ ଡେମୋକ୍ରାଟିକ୍‌ ରିଫର୍ମସ୍‌ (ଏଡିଆର୍‌) ରିପୋର୍ଟରେ ପ୍ରକାଶ ପାଇଛି। ନିର୍ବାଚନ କମିଶନଙ୍କ ନିକଟରେ ପ୍ରାର୍ଥୀମାନେ ଦାଖଲ କରିଥିବା ସତ୍ୟପାଠ ଆଧାରରେ ଏହି ରିପୋର୍ଟ ପ୍ରସ୍ତୁତ ହୋଇଛି। କ୍ୟାବିନେଟ ସମ୍ପ୍ରସାରଣ ପରେ ମନ୍ତ୍ରୀଙ୍କ ନାଁରେ ଅପରାଧ ମାମଲା ପୂର୍ବାପେକ୍ଷା ୩ ପ୍ରତିଶତ ବଢ଼ିଛି। ପୂର୍ବରୁ ଥିବା ୫୬ ମନ୍ତ୍ରୀଙ୍କ ମଧ୍ୟରୁ ୩୯ ପ୍ରତିଶତଙ୍କ ବିରୋଧରେ ଅପରାଧ ମାମଲା ରହିଥିଲା।

ଉକ୍ତ ରିପୋର୍ଟ ଅନୁଯାୟୀ କେନ୍ଦ୍ର କ୍ୟାବିନେଟ୍‌ର ୭୦ ମନ୍ତ୍ରୀ (୯୦ ପ୍ରତିଶତ) କୋଟିପତି। ସେମାନଙ୍କ ମଧ୍ୟରେ ଜ୍ୟୋତିରାଦିତ୍ୟ ସିନ୍ଧିଆ ସବୁଠୁ ଧନୀ ହୋଇଥିବା ବେଳେ ତାଙ୍କ ସମ୍ପତ୍ତି ପରିମାଣ ୩୭୯ କୋଟି ଟଙ୍କା ବୋଲି ଦର୍ଶାଯାଇଛି। ଅନ୍ୟମାନଙ୍କ ମଧ୍ୟରେ ପୀୟୂଷ ଗୋୟଲଙ୍କ ସମ୍ପତ୍ତି ୯୫ କୋଟି ହୋଇଥିବା ବେଳେ ନାରାୟଣ ରାଣେଙ୍କର ୮୭ କୋଟି ଏବଂ ରାଜୀବ ଚନ୍ଦ୍ରଶେଖରଙ୍କ ସମ୍ପତ୍ତି ପରିମାଣ ୬୪ କୋଟି ଟଙ୍କା ରହିଛି। ମନ୍ତ୍ରୀମାନଙ୍କ ହାରାହାରି ସମ୍ପତ୍ତି ପରିମାଣ ୧୬.୨୪ କୋଟି ଟଙ୍କା ବୋଲି ରିପୋର୍ଟରେ ଦର୍ଶାଯାଇଛି। ସବୁଠୁ କମ୍‌ ସମ୍ପତ୍ତି ଦର୍ଶାଇଥିବା ମନ୍ତ୍ରୀ ମଧ୍ୟରେ ଅଛନ୍ତି ତ୍ରିପୁରାର ପ୍ରତିମା ଭୌମିକ (୬ ଲକ୍ଷ ଟଙ୍କା), ପଶ୍ଚିମବଙ୍ଗର ଜନ୍‌ ବାର୍ଲା (୧୪ ଲକ୍ଷ ଟଙ୍କା), ରାଜସ୍ଥାନର କୈଳାସ ଚୌଧରୀ (ପ୍ରାୟ ୨୪ ଲକ୍ଷ ଟଙ୍କା), ଓଡ଼ିଶାର ବିଶ୍ୱେଶ୍ୱର ଟୁଡୁ (ପ୍ରାୟ ୨୭ ଲକ୍ଷ ଟଙ୍କା) ଏବଂ ମହାରାଷ୍ଟ୍ରର ଭି. ମୁରଲୀଧରନ (ପ୍ରାୟ ୨୭ ଲକ୍ଷ ଟଙ୍କା)।

Share