Categories: ଜାତୀୟ

ହିଜାବ ବିବାଦ ନଥମୁଣୁ ଏବେ ଶ୍ରୀମଦ ଭଗବଦ ଗୀତା…

ବେଙ୍ଗାଲୁରୁ,୨୦।୩ : କର୍ନାଟକରେ ହିଜାବ ବିବାଦ ହାଇକୋର୍ଟଙ୍କ ନିଷ୍ପତ୍ତି ପରେ ମଧ୍ୟ ସମ୍ପୂର୍ଣ୍ଣ ଥମିନାହିଁ। ଏହା ଏବେ ସୁପ୍ରିମ୍‌କୋର୍ଟରେ ପହଞ୍ଚିଛି। ଏପରିସ୍ଥଳେ ଏବେ ଗୁଜୁରାଟ ଶୈଳୀରେ ବିଦ୍ୟାଳୟ ପାଠ୍ୟକ୍ରମରେ ଶ୍ରୀମଦ ଭଗବଦ ଗୀତା ପଢ଼ାଯିବା ନେଇ ବିବାଦ ଆରମ୍ଭ ହୋଇଛି। ରାଜ୍ୟର ବିଦ୍ୟାଳୟରେ ଶ୍ରୀମଦ୍‌ ଭଗବଦ୍‌ ଗୀତା ପଢ଼ାଯିବା ନିଷ୍ପତ୍ତି ଉପରେ ରାଜନୈତିକ ବିବାଦ ଜାରି ରହିଛି।

ଏହା ଉପରେ କଡା ଆଭିମୁଖ୍ୟ ଗ୍ରହଣ କରି ମୁଖ୍ୟମନ୍ତ୍ରୀ ବାସବରାଜ ବୋମ୍ମାଇ କହିଛନ୍ତି ଯେ ପାରସ୍ପରିକ ଆଲୋଚନା ପରେ ଏହା ଉପରେ ନିଷ୍ପତ୍ତି ନିଆଯିବ। ଏହା ସହିତ ସେ କହିଛନ୍ତି ଯେ ଭଗବଦ ଗୀତା ହିଁ ନୈତିକ ମୂଲ୍ୟବୋଧ ଉପରେ ଶିକ୍ଷାଦାନ କରିବ।

କର୍ନାଟକ ଶିକ୍ଷା ମନ୍ତ୍ରୀଙ୍କ ବିବୃତ୍ତିରେ ସୃଷ୍ଟି ହୋଇଥିବା ଝଡ଼ ଉପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ବାମୀ ବିଦ୍ୟାଳୟରେ ଭଗବଦ ଗୀତା ଶିକ୍ଷା ପାଇଁ ଭାଜପା ସରକାରଙ୍କୁ ପ୍ରଶ୍ନ କରିଛନ୍ତି। ଏହା ସହିତ ମହିଶୂରର ଜଣେ କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ତନଭୀର ସୈତ ମଧ୍ୟ ବିଦ୍ୟାଳୟ ପାଠ୍ୟକ୍ରମରେ ଶ୍ରୀମଦ ଭଗବଦ ଗୀତା ଅନ୍ତର୍ଭୁକ୍ତ କରିବା ନେଇ ପ୍ରଶ୍ନ ଉଠାଇଛନ୍ତି।

ଭାଜପା ଶାସିତ ଗୁଜରାଟ ସରକାର ଗୁରୁବାର ଘୋଷଣା କରିଛନ୍ତି ଯେ ଭଗବଦ ଗୀତା ୨୦୨୨-୨୩ ଶିକ୍ଷାବର୍ଷରୁ ସାରା ରାଜ୍ୟରେ ୬ ରୁ ୧୨ ଶ୍ରେଣୀ ପର୍ଯ୍ୟନ୍ତ ବିଦ୍ୟାଳୟ ପାଠ୍ୟକ୍ରମର ଅଂଶ ହେବ। ଗୁଜୁରାଟ ସରକାରଙ୍କ ଏହି ନିଷ୍ପତ୍ତି ପରେ କର୍ନାଟକର ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷା ମନ୍ତ୍ରୀ ବି.ସି. ନାଗେଶ କହିଛନ୍ତି ଯେ ନୈତିକ ଶିକ୍ଷାର ଏକ ଅଂଶ ଭାବରେ ଏହି ନିଷ୍ପତ୍ତି ନେବା ପୂର୍ବରୁ ରାଜ୍ୟ ସରକାର ଶିକ୍ଷାବିତ୍‌ଙ୍କ ସହ ଆଲୋଚନା କରିବେ। ପିଲାମାନଙ୍କ ମଧ୍ୟରେ ସାଂସ୍କୃତିକ ମୂଲ୍ୟବୋଧ ହ୍ରାସ ପାଉଛି ବୋଲି ସେ ଦାବି କରିଛନ୍ତି।

Share