ମୁଦ୍ରାସ୍ଫୀତି ପାକିସ୍ତାନରେ ରେକର୍ଡ ସ୍ତରରେ, ପ୍ରସିଦ୍ଧ ଖାଦ୍ୟ ଶୃଙ୍ଖଳା ରେଷ୍ଟୁରାଣ୍ଟ ତିନି ଇଞ୍ଚର ସାଣ୍ଡୱିଚ ବିକ୍ରି କରିବାକୁ ବାଧ୍ୟ…

ଇସଲାମାବାଦ୩।୧୦ : ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନରେ ମୁଦ୍ରାସ୍ଫୀତି ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି ଯାହା ସାଧାରଣ ଲୋକଙ୍କ ଆର୍ଥିକ ମେରୁଦଣ୍ଡକୁ ଭାଙ୍ଗି ଦେଇଛି। ପରିସ୍ଥିତି ଏପରି ହୋଇଛି ଏକ ପ୍ରସିଦ୍ଧ ଖାଦ୍ୟ ଶୃଙ୍ଖଳା ରେଷ୍ଟୁରାଣ୍ଟ ପାକିସ୍ତାନରେ ତିନି ଇଞ୍ଚର ସାଣ୍ଡୱିଚ ବିକ୍ରୟ କରିବାକୁ ବାଧ୍ୟ ହେଉଛି। ଏହି ଖାଦ୍ୟ ଶୃଙ୍ଖଳା ଦୁନିଆର କୌଣସି ସ୍ଥାନରେ ତିନି ଇଞ୍ଚର ସାଣ୍ଡୱିଚ ବିକ୍ରୟ କରେ ନାହିଁ, କିନ୍ତୁ ପାକିସ୍ତାନରେ ମୁଦ୍ରାସ୍ଫୀତି ବୃଦ୍ଧି ଯୋଗୁ ଏହା ତିନି ଇଞ୍ଚର ସାଣ୍ଡୱିଚ ପ୍ରଚଳନ କରିବାକୁ ବାଧ୍ୟ ହୋଇଛି।

ସେପ୍ଟେମ୍ବର ମାସରେ ପାକିସ୍ତାନରେ ମୁଦ୍ରାସ୍ଫୀତି ହାର ୩୧.୪ ପ୍ରତିଶତକୁ ବୃଦ୍ଧି ପାଇଛି। ଅଗଷ୍ଟରେ ଏହା ୨୭.୪ ପ୍ରତିଶତ ଥିଲା। ବାସ୍ତବରେ ପେଟ୍ରୋଲ, ଡିଜେଲ ଏବଂ ଶକ୍ତି ମୂଲ୍ୟରେ ବୃଦ୍ଧି ହେତୁ ପାକିସ୍ତାନରେ ମୁଦ୍ରାସ୍ଫୀତି ହାର ବୃଦ୍ଧି ପାଇଛି। ନିକଟରେ ପାକିସ୍ତାନ ଦେବାଳିଆ ଅବସ୍ଥାରେ ଥିଲା କିନ୍ତୁ ଆଇଏମଏଫ ଏହାକୁ ତିନି ବିଲିୟନ ଡଲାରର ପ୍ୟାକେଜ ଦେଇ ଗତ ଜୁଲାଇରେ ଦେବାଳିଆରୁ ରକ୍ଷା କରିଥିଲା। ତେବେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ହେବା ପାଇଁ ଆଇଏମଏଫ ପାକିସ୍ତାନ ଉପରେ କଠୋର ସର୍ତ୍ତ ଥିଲା। ଯେଉଁ କାରଣରୁ ପାକିସ୍ତାନ ସରକାର ତୈଳ ମୂଲ୍ୟ ବୃଦ୍ଧି କରିଥିଲେ ଏବଂ ଫଳସ୍ବରୂପ, ମେ ମାସରେ ରେକର୍ଡ ୩୮.୦ ପ୍ରତିଶତ ମୁଦ୍ରାସ୍ଫୀତି ହୋଇଥିଲା। ସେଠାରେ ଥିବା ସୁଧ ହାର ମଧ୍ୟ ସର୍ବୋଚ୍ଚ ସ୍ତରରେ ୨୨ ପ୍ରତିଶତରେ ପହଞ୍ଚିଛି।

ପାକିସ୍ତାନୀ ଟଙ୍କାର ମୂଲ୍ୟ ହ୍ରାସ ସେମାନଙ୍କ ସମସ୍ୟାକୁ ମଧ୍ୟ ବଢ଼ାଇ ଦେଇଛି। ତେବେ ଅଗଷ୍ଟରେ ସର୍ବନିମ୍ନ ସ୍ତରରେ ପହଞ୍ଚିବା ପରେ ସେପ୍ଟେମ୍ବରରେ ପାକିସ୍ତାନୀ ଟଙ୍କାର ସ୍ଥିତିରେ ସାମାନ୍ୟ ଉନ୍ନତି ହୋଇଛି। ପାକିସ୍ତାନର ଅର୍ଥ ମନ୍ତ୍ରଣାଳୟ ଏହାର ମାସିକ ରିପୋର୍ଟରେ କହିଛି ଆସନ୍ତା କିଛି ମାସ ମଧ୍ୟରେ ମୁଦ୍ରାସ୍ଫୀତି ହାର ପ୍ରାୟ ୨୯-୩୧ ପ୍ରତିଶତ ରହିବ ଏବଂ ଆସନ୍ତା ବର୍ଷ ଆରମ୍ଭରେ ଏଥିରେ କିଛି ମାତ୍ରାରେ ଆରାମ ମିଳିପାରେ।

ପାକିସ୍ତାନରେ ତୈଳ ଏବଂ ଗ୍ୟାସ ନିୟାମକ ପ୍ରାଧିକରଣ ଏଲପିଜି ମୂଲ୍ୟ କିଲୋଗ୍ରାମ ପିଛା ୨୦.୮୬ ଟଙ୍କା ବୃଦ୍ଧି କରିଛି, ଏହା ପରେ ସେଠାରେ ଏଲପିଜି କିଲୋଗ୍ରାମ ୨୬୦.୯୮ ଟଙ୍କାରେ ବିକ୍ରି ହେଉଛି। ଏଥି ସହିତ ଘରୋଇ ସିଲିଣ୍ଡରର ମୂଲ୍ୟ ୩୦୭୯.୬୪ଟଙ୍କାକୁ ବୃଦ୍ଧି ପାଇଛି।

Share