କଟକଣା କୋହଳ ସହ ଏହି ରାଜ୍ୟରେ ଅଗଷ୍ଟ ୩୧ ଯାଏଁ ବଢ଼ିଲା ଲକ୍‌ଡାଉନ

ଚେନ୍ନାଇ,୩୦।୭: ଦେଶରେ କରୋନା ସଙ୍କଟକୁ ଦେଖି କେନ୍ଦ୍ର ସରକାର ବୁଧବାର ଅନ୍‌ଲକ-୩ ଘୋଷଣା କରିଛନ୍ତି। ଜୁଲାଇ ୩୧ରେ ଦ୍ୱିତୀୟ ପର୍ଯ୍ୟାୟ ଲକ୍‌ଡାଉନ ଶେଷ ହେଉଥିବା ବେଳେ ଅଗଷ୍ଟ ୧ରୁ ଅଗଷ୍ଟ ୩୧ ଯାଏ ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ ଜାରି ରହିବ। ହେଲେ ଏହି ସମୟରେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ କେତେକ କଟକଣା ଉପରେ କୋହଳ କରାଯାଇଛି। ଇତିମଧ୍ୟରେ ଗୁରୁବାର ତାମିଲନାଡ଼ୁ ସରକାର ମଧ୍ୟ ରାଜ୍ୟରେ ଅଗଷ୍ଟ ୩୧ ଯାଏ ଲକ୍‌ଡାଉନ ବୃଦ୍ଧି ନେଇ ଘୋଷଣା କରିଛନ୍ତି। ରାଜ୍ୟରେ କରୋନା ଭାଇରସ୍‌ର ବଢ଼ୁଥିବା ମାମଲାକୁ ଦେଖି ମୁଖ୍ୟମନ୍ତ୍ରୀ ଏଡାପ୍ପାଡ଼ି କେ. ପାଲାନିସ୍ବାମୀ ଏଭଳି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ତେବେ ଏହି ସମୟରେ ପୂର୍ବରୁ ଲାଗୁ ହୋଇଥିବା କଟକଣା ଉପରେ କିଛିଟା କୋହଳ କରାଯାଇଛି। ଅନ୍‌ଲକ-୩ରେ ରାଜ୍ୟରେ ପ୍ରତି ରବିବାର ସମ୍ପୂର୍ଣ୍ଣ ଲକ୍‌ଡାଉନ ରହିବ। ଏଥିସହ ପୂର୍ବରୁ ଗ୍ରୋସରୀ ଓ ଅନ୍ୟାନ୍ୟ ଆବଶ୍ୟକୀୟ ଦୋକାନ ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏଁ ଖୋଲା ରହୁଥିବା ବେଳେ ଏବେ ସକାଳ ୬ଟାରୁ ସନ୍ଧ୍ୟା ୭ଟା ଯାଏଁ ଖୋଲାରହିବ। ସେହିପରି ଅନ୍ୟାନ୍ୟ ଦୋକାନଗୁଡ଼ିକୁ ମଧ୍ୟ ସକାଳ ୧୦ଟାରୁ ସନ୍ଧ୍ୟା ୭ଟା ଯାଏଁ ଖୋଲିବାକୁ ଅନୁମତି ଦିଆଯାଇଛି। ସୂଚନାଯୋଗ୍ୟ, ତାମିଲନାଡ଼ୁରେ ଏପର୍ଯ୍ୟନ୍ତ ମୋଟ କରୋନା ଆକ୍ରାନ୍ତ ସଂଖ୍ୟା ୨,୩୪,୧୧୪ରେ ପହଞ୍ଚିଛି। ସେଥିମଧ୍ୟରୁ ୧,୭୨,୮୮୩ ଜଣ ସୁସ୍ଥ ହୋଇଥିବା ବେଳେ ୫୭,୪୯୦ ଚିକିତ୍ସାଧିନ ଅଛନ୍ତି। ସେହିପରି କରୋନା ଜନିତ ରାଜ୍ୟରେ ମୃତ୍ୟୁ ସଂଖ୍ୟା ୩,୭୪୧କୁ ବୃଦ୍ଧି ହୋଇଛି।

Share