Categories: ଫୁରସତ

ଦଣ୍ଡିବା ଶକ୍ତି ଯା’ର ଥାଇ, ସେ ପୁଣି କ୍ଷମା ଆଚରଇ…

କ୍ଷମା ଏକ ଦିବ୍ୟଗୁଣ। ଏହାଠାରୁ ବଳି ଅନ୍ୟ କିଛି ନାହିଁ। ପ୍ରତିବର୍ଷ ଜୁଲାଇ ୭କୁ ବିଶ୍ୱ କ୍ଷମା ଦିବସ ଭାବେ ପାଳନ କରାଯାଇଥାଏ। କ୍ଷମା ଦ୍ୱାରା ସହଜରେ କିଭଳି ସମାଜରେ ଶାନ୍ତି ସ୍ଥାପନ କରାଯାଇ ପାରୁଛି ସେ ନେଇ ସଚେତନତା ସୃଷ୍ଟି କରିବା ଏହି ଦିବସର ଲକ୍ଷ୍ୟ। ପ୍ରାଚୀନକାଳରୁ ପୃଥିବୀର ବିଭିନ୍ନ ସଂସ୍କୃତିରେ କ୍ଷମାକୁ ଶାନ୍ତିର ପ୍ରଧାନ ମାର୍ଗ ଭାବେ ଗ୍ରହଣ କରାଯାଇଛି। ସମସ୍ତ ଧାର୍ମିକ ପରମ୍ପରାରେ କ୍ଷମାକୁ ସର୍ବୋଚ୍ଚ ସ୍ଥାନ ଦିଆଯାଇଛି। ପ୍ରସିଦ୍ଧ ରୁଷୀୟ ଲେଖକ ଲିଓ ଟଲଷ୍ଟୟଙ୍କ କାହାଣୀ ‘ଗଡ଼ ସି ଦ ଟ୍ରୁଥ୍‌ ବଟ୍‌ ଓ୍ବେଟସ୍‌’ ଜଣେ ଅପରାଧୀଙ୍କ ପାଇଁ ସାରା ଜୀବନ ଜେଲରେ ବିତାଇଥିବା ବ୍ୟକ୍ତି ସମ୍ପୃକ୍ତ ଅପରାଧୀଙ୍କୁ କ୍ଷମା ପ୍ରଦାନ କରୁଛନ୍ତି। ଏହି କାହାଣୀ କ୍ଷମା ସମ୍ମୁଖରେ ସାରା ଜୀବନର ଦୁଃଖକଷ୍ଟ କିଭଳି ତୁଚ୍ଛ ହୋଇଯାଉଛି ତାହା ଜଣାପଡୁଛି। ଭାରତୀୟ ସଂସ୍କୃତିରେ ଏଭଳି ବହୁ କାହାଣୀ ରହିଛି। ସତ୍ୟଯୁଗରେ ଦାନବୀର ହରିଶ୍ଚନ୍ଦ୍ରଙ୍କ କ୍ଷମା ଆଚରଣ, ତ୍ରେତୟା ଯୁଗରେ ପ୍ରଭୁ ଶ୍ରୀରାମଙ୍କ ଚରିତ୍ରରେ କ୍ଷମାର ଭୂମିକା ଗୁରୁତ୍ୱପୂର୍ଣ୍ଣ । ସେହିପରି ଦ୍ୱାପର ଯୁଗରେ ପ୍ରଭୁ ଶ୍ରୀକୃଷ୍ଣଙ୍କ ଦ୍ୱାରା କୌରବ ସଭାରେ କରାଯାଇଥିବା କ୍ଷମା ଆଚରଣ କାଳକାଳ ଧରି ଭାରତୀୟ ସଂସ୍କୃତି ସହିତ ପୃଥିବୀବାସୀଙ୍କ ପାଇଁ ଶାନ୍ତିର ମାର୍ଗକୁ ପ୍ରଶସ୍ତ କରୁଛି। ଦଣ୍ଡିବା ଅର୍ଥାତ୍‌ ଦଣ୍ଡଦେବାର ଶକ୍ତି ଥିଲେ ମଧ୍ୟ ଦୁର୍ବଳ ପ୍ରତି ସବଳର କ୍ଷମା ଆଚରଣକୁ ପ୍ରଭୁ ଶ୍ରୀକୃଷ୍ଣଙ୍କ ଦ୍ୱାରା ଶିକ୍ଷା ପ୍ରଦାନ କରାଯାଇଛି। ବୁଦ୍ଧଦେବଙ୍କଠାରୁ ଆରମ୍ଭ କରି ମହମ୍ମଦ୍‌, ଯିଶୁଖ୍ରୀଷ୍ଟ ସଭିଏ ମନୁଷ୍ୟ ସମାଜକୁ କ୍ଷମାର ପଥ ଦର୍ଶାଇଛନ୍ତି। କ୍ଷମାକୁ ଶାନ୍ତିପୂର୍ଣ୍ଣ ଜୀବନଶୈଳୀର ଏକ ମାଧ୍ୟମ ଭାବେ ଗ୍ରହଣ କରିନେବାକୁ ପ୍ରତି ମହାପୁରୁଷ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଚିକିତ୍ସା ବିଜ୍ଞାନ ଅନୁସାରେ ଅନ୍ୟକୁ କ୍ଷମା ପ୍ରଦାନ ଦ୍ୱାରା ହିଂସା ଭାବ ଦୂର ହୋଇ ମନରେ ଶାନ୍ତି ଆସିଥାଏ। ରକ୍ତଚାପ ସ୍ବାଭାବିକ ହୋଇ ହୃତ୍‌ପିଣ୍ଡର କାର୍ଯ୍ୟକାରିତା ବୃଦ୍ଧି ପାଇଥାଏ। ତେଣୁ କିଛି ଖର୍ଚ୍ଚ ନ କରି କେବଳ ଅନ୍ୟକୁ କ୍ଷମା ପ୍ରଦାନ ଦ୍ୱାରା ମନୁଷ୍ୟ ଖୁସିରେ ରହିପାରିବ। ଏପରିସ୍ଥଳେ ଏହି ଦିବ୍ୟ ଗୁଣଠାରୁ ଦୂରେଇ ନ ଯାଇ ପାଖେଇ ଆସିବା ସମସ୍ତଙ୍କର କାମ୍ୟ ହେବା ଆବଶ୍ୟକ।

Share