Categories: ଜାତୀୟ

ପୂର୍ବ ଲଦାଖରୁ ସମ୍ପୂର୍ଣ୍ଣ ସେନା ପ୍ରତ୍ୟାହାର କର

ନୂଆଦିଲ୍ଲୀ,୨୬ା୩: ଭାରତ-ଚାଇନା ମଧ୍ୟରେ ସୁସମ୍ପର୍କ ପ୍ରତିଷ୍ଠା ପାଇଁ ପୂର୍ବ ଲଦାଖରୁ ବେଜିଂକୁ ସମ୍ପୂର୍ଣ୍ଣ ସେନା ପ୍ରତ୍ୟାହାର କରିବାକୁ ପଡ଼ିବ ବୋଲି ଶୁକ୍ରବାର ନୂଆଦିଲ୍ଲୀ ସ୍ପଷ୍ଟ କରିଛି। ଭାରତ ଗସ୍ତରେ ଆସିଥିବା ଚାଇନା ବହିର୍ବ୍ୟାପାର ମନ୍ତ୍ରୀ ଓ୍ବାଙ୍ଗ୍‌ ୟିଙ୍କ ସହ ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍‌ଏସ୍‌ଏ) ଅଜିତ୍‌ ଡୋଭାଲ ଆଲୋଚନା କରିଛନ୍ତି। ଏହି ଅବସରରେ ସେ ପାରସ୍ପରିକ ସୁରକ୍ଷା ଓ ସମାନତାକୁ ଉଲ୍ଲଂଘନ କରିବା ଭଳି କୌଣସି ପଦକ୍ଷେପ ନ ନେବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ସୀମାରେ ଶାନ୍ତି ପ୍ରତିଷ୍ଠା ପାଇଁ ସୈନ୍ୟ ଅପସାରଣ ଆଲୋଚନାର ପରିବେଶ ସୃଷ୍ଟି କରିବ ବୋଲି ଡୋଭାଲ କହିଛନ୍ତି। ଭାରତର ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ମଧ୍ୟ ହାଇଦ୍ରାବାଦ ହାଉସ୍‌ରେ ଚାଇନା ପ୍ରତିପକ୍ଷ ୟିଙ୍କ ସହ ବିସ୍ତୃତ ଆଲୋଚନା କରି ସୈନ୍ୟ ଅପସାରଣ ଉପରେ ଗୁରୁତ୍ୱ ଦେଇଛନ୍ତି। ଭାରତ ଉପରେ ଏକ ନିରପେକ୍ଷ ନୀତି ଅବଲମ୍ବନ କରିବା ସହ ଅନ୍ୟ କୌଣସି ଦେଶ ଦ୍ୱାରା ପ୍ରଭାବିତ ନ ହେବାକୁ ସେ ପରାମର୍ଶ ଦେଇଛନ୍ତି। ଇତିମଧ୍ୟରେ ୟିଙ୍କ ଗସ୍ତକୁ ବିରୋଧ କରି ନୂଆଦିଲ୍ଲୀ ସମେତ ଦେଶର କେତେକ ସ୍ଥାନରେ ବିକ୍ଷୋଭ କରାଯାଇଥିବା ଦେଖିବାକୁ ମିଳିଛି।

Share