Categories: ଜାତୀୟ

‘ଖାନ ସାର୍‌ଙ୍କ ଉପରୁ ମାମଲା ହଟାଅ’

ପାଟଣା,୨୮।୧: ରେଲଓ୍ବେର ରିକ୍ରୁଟମେଣ୍ଟ ପ୍ରକ୍ରିୟା ବିରୋଧରେ ଚାଲିଥିବା ହିଂସାତ୍ମକ ଛାତ୍ର ଆନ୍ଦୋଳନ ସହ ସମ୍ପୃକ୍ତି ଅଭିଯୋଗରେ ବିହାରର ଖାନ ସାରଙ୍କ ସହ ଅନ୍ୟମାନଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ଏହାର ଦୁଇ ଦିନ ପରେ ଜଣାଶୁଣା ଲେକଚରଙ୍କ ଉପରୁ ମାମଲା ହଟାଇବାକୁ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ନେତୃତ୍ୱାଧୀନ ଜନତା ଦଳ (ୟୁନାଇଟେଡ୍‌)ର ଜାତୀୟ ସଭାପତି ରାଜିବ ରଞ୍ଜନ ସିଂ।

“ ଖାନ କୋଚିଂ ଓ ପାଟଣାସ୍ଥିତ ଅନ୍ୟ କିଛି ଇନ୍‌ଷ୍ଟିଚ୍ୟୁଟ ବିହାର ସମେତ ପୂରା ଦେଶର ଗରିବ ଏବଂ ପ୍ରତିଭାଶାଳୀ ଯୁବଗୋଷ୍ଠୀଙ୍କ ଭବିଷ୍ୟତ ନିର୍ମାଣ କରୁଛନ୍ତି। ରେଲଓ୍ବେ/ପୋଲିସ ବିନା ବିଳମ୍ବରେ ସେମାନଙ୍କ ବିରୋଧରେ ମାମଲାକୁ ଖାରଜ କରାଯିବା ଉଚିତ। ଉତ୍ତ୍ୟକ୍ତ ଛାତ୍ରୀଛାତ୍ରଙ୍କୁ ମୁଁ ଶାନ୍ତି ରକ୍ଷା କରିବାକୁ ଅନୁରୋଧ କରୁଛି” ବୋଲି ସେ ଏକ ଟୁଇଟ୍‌ କରିଛନ୍ତି।

ପାଟଣାର ଲୋକପ୍ରିୟ ଶିକ୍ଷକ ଖାନ ସାର୍‌ ଏପର୍ଯ୍ୟନ୍ତ ତାଙ୍କ ପ୍ରକୃତ ନାମ ପ୍ରକାଶ କରି ନାହାନ୍ତି। ସେ ଖାନ ଜିଏସ୍‌ ରିସର୍ଚ୍ଚ ସେଣ୍ଟର ଚଳାନ୍ତି। ସ୍ବତନ୍ତ୍ର ଟିଚିଂ ଷ୍ଟାଇଲ ପାଇଁ ସେ ବେଶ୍‌ ଜଣାଶୁଣା। ସେ ଅନଲାଇନ ଲେକଚର ନିଅନ୍ତି। ପ୍ରତିଦ୍ୱନ୍ଦ୍ୱିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରୀଛାତ୍ରଙ୍କ ମଧ୍ୟରେ ତାଙ୍କ ଫ୍ୟାନ ଫଲୋଇଂ ଢ଼େର ରହିଛି।

ହିଂସା କାଣ୍ଡରେ ଜଡ଼ିତ ଛାତ୍ରୀଛାତ୍ରଙ୍କ ବୟାନ ଆଧାରରେ ଖାନ ସାର୍‌ଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିଲା। ସେମାନଙ୍କ କହିବା କଥା ହେଲା, ଖାନ ସାରଙ୍କ ଏକ ଭିଡିଓ ଦେଖିଲା ପରେ ସେମାନେ ହିଂସା ଘଟାଇବାକୁ ପ୍ରେରିତ ହୋଇଥିଲେ। ଭାଇରାଲ ହୋଇଥିବା ଭିଡିଓରେ ଖାନ ସାର ଆରଆରବି ଏନ୍‌ଟିପିସି ପରୀକ୍ଷାକୁ ବାତିଲ କରା ନ ଯିବାରୁ ଛାତ୍ରୀଛାତ୍ରଙ୍କୁ ରାସ୍ତାକୁ ଓହ୍ଲାଇବାକୁ ପ୍ରବର୍ତ୍ତାଇ ଥିବା ଅଭିଯୋଗ କରାଯାଉଛି।

Share