୧ରୁ ହେବନି ବସ୍‌ ଧର୍ମଘଟ

ଭୁବନେଶ୍ୱର,୩୦।୧୧(ଅନିଲ ଦାସ): ରାଜ୍ୟ ଘରୋଇ ବସ୍‌ ମାଲିକ ସଂଘ କର୍ମକର୍ତ୍ତା ଓ ରାଜ୍ୟ ସରକାରଙ୍କ ସହ ବୁଧବାର ହୋଇଥିବା ଆଲୋଚନା ସଫଳ ହୋଇଛି। ସଂଘ ଆସନ୍ତା ଡିସେମ୍ବର ୧ରୁ ଡାକରା ଦେଇଥିବା ଧର୍ମଘଟ ପ୍ରତ୍ୟାହାର କରିବା ପାଇଁ ନିଷ୍ପତ୍ତି ନେଇଛି। ଖାରବେଳ ଭବନଠାରେ ପରିବହନ ମନ୍ତ୍ରୀ ଟୁକୁନି ସାହୁଙ୍କ ଅଧ୍ୟକ୍ଷତାରେ ବୈଠକରେ ସଂଘ କର୍ମକର୍ତ୍ତାଙ୍କ ସହ ପରିବହନ ସଚିବ ଉଷା ପାଢ଼ୀ, ପରିବହନ କମିଶନର ଅମିତାଭ ଠାକୁର, ସ୍ବତନ୍ତ୍ର ସଚିବ ମନୋଜ ମିଶ୍ର, କ୍ରୁଟ୍‌ର ପ୍ରତିନିଧି ଉପସ୍ଥିତ ଥିଲେ। ସଂଘ ପକ୍ଷରୁ ଦାବିଗୁଡ଼ିକୁ ଲିଖିତ ଆକାରରେ ଦିଆଯାଇଥିଲା। ସଂଘର ମୁଖପାତ୍ର ଦେବାଶିଷ ନାୟକ କହିଛନ୍ତି, ଲକ୍ଷ୍ମୀ ବସ୍‌ ଯୋଗୁ ଘରୋଇ ବସ୍‌ଗୁଡ଼ିକର ହେଉଥିବା କ୍ଷତିକୁ ଭରଣା ନେଇ ମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି। ଲକ୍ଷ୍ମୀ ବସ୍‌ କେବଳ ପଞ୍ଚାୟତରୁ ବ୍ଲକ୍‌ ସ୍ତରକୁ ଚଳାଚଳ କରିବ ବୋଲି ମନ୍ତ୍ରୀ ସଂଘକୁ ପ୍ରତିଶ୍ରୁତି ଦେଇଛନ୍ତି। ମୋ ବସ୍‌ ସହରାଞ୍ଚଳରେ ଚାଲିବାକୁ ଥିବାବେଳେ ବିଭିନ୍ନ ସ୍ଥାନକୁ ଯାଉଥିବାରୁ ତାହାର ସମୀକ୍ଷା ପାଇଁ ସଂଘର ପ୍ରତିନିଧିଙ୍କୁ ନେଇ ୭ ଜଣିଆ କମିଟି ଗଠନ କରାଯିବ। ସଂଘ ଲକ୍ଷ୍ମୀ ଯୋଜନାରେ ବ୍ଲକରୁ ଜିଲା ମୁଖ୍ୟାଳୟକୁ ବସ୍‌ ଚଳାଚଳକୁ ବିରୋଧ କରୁଛି ବୋଲି ସେ କହିଛନ୍ତି। ଟାୟାର-୨ରେ ବ୍ଲକ୍‌ରୁ ସଦର ମହକୁମାକୁ ଲକ୍ଷ୍ମୀ ବସ୍‌ ଗଡ଼ିବାକୁ ଥିବାବେଳେ କିଛି ରୁଟ୍‌କୁ ନେଇ ବସ୍‌ ମାଲିକଙ୍କ ସମସ୍ୟା ରହିଛି ବୋଲି ମନ୍ତ୍ରୀ କହିଛନ୍ତି। ବସ୍‌ମାଲିକମାନେ ଲିଖିତ ଭାବେ ନିର୍ଦ୍ଦିଷ୍ଟ ରୁଟ୍‌କୁ ନେଇ ସରକାରଙ୍କୁ ଜଣାଇବାକୁ ଅନୁରୋଧ କରାଯାଇଛି।

Share