ଖଡ଼ିଆଳ,୧୭।୨(ଡି.ଏନ.ଏ): ନୂଆପଡ଼ା ଜିଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ଗଡ୍ରାମୁଣ୍ଡା ଗ୍ରାମ ପଞ୍ଚାୟତ ଅଫିସରେ ନିର୍ମାଣ ହୋଇଥିବା ପାଚେରୀ କାମ ମାସେ ନ ପୁରୁଣୁ ସ୍ଥାନେ ସ୍ଥାନେ ଫାଟି ଆଁ କରିଥିବା ଦେଖିବାକୁ ମିଳିଛି। ତେବେ ଅତିନିମ୍ନର କାମ ଯୋଗୁ ପାଚେରୀର ଏହିପରି ଅବସ୍ଥା ହୋଇଥିବା ଅଭିଯୋଗ ହୋଇଛି। ମିଳିଥିବା ସୂଚନା ଅନୁସାରେ ପଞ୍ଚଦଶ ଅର୍ଥ କମିଶନ ଅନୁଦାନରୁ ଲକ୍ଷାଧିକ ଟଙ୍କା ବ୍ୟୟରେ ଗଡ୍ରାମୁଣ୍ଡା ଗ୍ରାମ ପଞ୍ଚାୟତ ଅଫିସର ପାଚେରୀ ନିର୍ମାଣ କାମ ହୋଇଥିଲା। ବିଭାଗୀୟ ଯନ୍ତ୍ରୀଙ୍କ ସହ ସରପଞ୍ଚ ସଲାସୁତୁରା କରି ପ୍ଲାନ ଏବଂ ଇଷ୍ଟିମେଟ ଅନୁସାରେ କାମ ନ କରି ଅତି ନିମ୍ନମାନର କାମ ଦ୍ୱାରା ପାଚେରୀର ସ୍ଥାନେ ସ୍ଥାନେ ଫାଟି ଆଁ କରିଛି। ପାଚେରୀର ସ୍ଥାୟୀତ୍ୱ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। ତେବେ ଖୋଦ୍ ପଞ୍ଚାୟତର ସରପଞ୍ଚ ଏବଂ ବିଭାଗୀୟ ଯନ୍ତ୍ରୀ ଏବଂ ଅଧିକାରୀ ସହ ମିଶି ନିମ୍ନମାନର କାମ କରିଥିବାରୁ ନିର୍ମାଣର ମାସେ ନ ପୁରୁଣୁ ପାଚେରି ଭାଙ୍ଗିବା ଆରମ୍ଭ କରିଛି। ଏହି ଘଟଣାକୁ ନେଇ ପଞ୍ଚାୟତବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ତେବେ ଏଥିପ୍ରତି ଜିଲା ପ୍ରଶାସନ ଦୃଷ୍ଟି ଦେଇ ଏହାର ତଦନ୍ତ କରି ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ପଞ୍ଚାୟତବାସୀ ଦାବି କରିଛନ୍ତି। ଏହି ବିଷୟରେ ଦାୟିତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀ ରମେଶ ଦୀପଙ୍କୁ ଯୋଗାଯୋଗ କରାଯିବାରୁ ଏହି ପାଚେରୀ ନିର୍ମାଣ କାର୍ଯ୍ୟ ପାଇଁ ଦୁଇ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିବାବେଳେ ପାଚେରୀ ଫାଟି ଥିବା କଥା ଜାଣି ନାହିଁ ବୋଲି କହିବା ସହ ବାଡ଼ ଦେଖି କହି ପାରିବି ବୋଲି କହିଥିଲେ।