ନୂଆଦିଲ୍ଲୀ: ଏମିତି ଅନେକ ଥର ହୋଇଥିବ, ଆପଣ ଘରେ ଚାର୍ଜର ଭୁଲି ମୋବାଇଲ ସାଙ୍ଗରେ ନେଇ ବାହାରି ପଡ଼ିଥିବେ। ଆଉ କିଛି ସମୟ ପରେ ଯେତେବେଳେ ମୋବାଇଲ ଚାର୍ଜ ଶେଷ ହେବାର ସମୟ ଆସିଯିବ, ଆପଣଙ୍କୁ ଚାର୍ଜର କଥା ମନେପଡ଼ିଥିବ, କିନ୍ତୁ ଚାର୍ଜର ପାଖରେ ନ ଥିବ। ଆମେ ସମସ୍ତେ ଏଭଳି ପରିସ୍ଥିତିକୁ ଅନ୍ତତଃ ଥରେ ସାମ୍ନା କରିଥିବା ନିଶ୍ଚୟ। ତେବେ ଚାର୍ଜର ବିନା ଏଣିକି ମୋବାଇଲ ଚାର୍ଜ କରିବାର ସମାଧାନ ମିଳିଯାଇଛି। ନ୍ୟାଶନାଲ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଫେଶନ୍ ଟେକ୍ନୋଲୋଜି (ନିଫ୍ଟ)ର ଜଣେ ପ୍ରାକ୍ତନ ଛାତ୍ର ଏହି ସମସ୍ୟାର ସମାଧାନ ଖୋଜି ବାହାର କରିଛନ୍ତି। ଏକ ଜାତୀୟ ଗଣମାଧ୍ୟମ ତଥ୍ୟ ଅନୁଯାୟୀ, ନିଫ୍ଟର ପ୍ରାକ୍ତନ ଛାତ୍ର ବିକ୍ରମ ସିଂ ସୋଲାର୍ ପ୍ୟାନେଲ ସାହାଯ୍ୟରେ ଏଭଳି ଏକ ଡିଜାଇନର ବ୍ୟାଗ୍ ପ୍ରସ୍ତୁତ କରିଛନ୍ତି, ଯାହାକୁ ଧରି ଖରାରେ ଚାଲିଲେ, ମୋବାଇଲ୍ ଆପେ ଆପେ ଚାର୍ଜ ହୋଇଯିବ।
୨୦୧୯ରେ ବ୍ୟାଚେଲର୍ ଅଫ୍ ଡିଜାଇନ୍ରେ ଡିଗ୍ରୀ ହାସଲ କରିଥିବା ବିକ୍ରମ ସୋଲାର ପ୍ୟାନେଲଯୁକ୍ତ ଏକ ଲେଦର ବ୍ୟାଗ୍ ପ୍ରସ୍ତୁତ କରିଛନ୍ତି। ଏହି ବ୍ୟାଗ୍ ସାହାଯ୍ୟରେ ମାତ୍ର ତିିନି ଘଣ୍ଟାରେ ମୋବାଇଲ୍ ଫୋନ୍ ଚାର୍ଜ ହୋଇପାରିବ। ଏହି ବ୍ୟାଗ୍ରେ ବିକ୍ରମ ୟୁଏସ୍ବି ମଧ୍ୟ ଲଗାଇଛନ୍ତି। ସୂର୍ଯ୍ୟ ରଶ୍ମିରେ ବ୍ୟାଗ୍ ଧରି ବୁଲିଲେ, ୟୁଏସ୍ବି ମାଧ୍ୟମରେ ମୋବାଇଲ ଫୋନ୍ ଚାର୍ଜ ହେବା ଆରମ୍ଭ କରିଦେବ। ତେବେ ଏହି ଉତ୍ପାଦ ନେଇ ଲୋକଙ୍କ ଭଲ ପ୍ରତିକ୍ରିୟା ମିଳୁଥିବାରୁ ଖୁବ୍ଶୀଘ୍ର ଏହାକୁ ବଜାରରେ ଉପଲବ୍ଧ କରାଇବାର ଯୋଜନା ରଖିଛନ୍ତି ବିକ୍ରମ। ଏହାଛଡ଼ା ସେ ଆଉ ଏକ ଓ୍ବେୟାରଲେସ୍ ବ୍ୟାଗ୍ ମଧ୍ୟ ପ୍ରସ୍ତୁତ କରିଛନ୍ତି, ଯେଉଁଥିରେ ଏକ ଓ୍ବେୟାରଲେସ୍ ଚାର୍ଜର ଖଞ୍ଜାହୋଇଛି। ଏହାସହ ଏକ ବ୍ଲୁ-ଟୁଥ୍ ମଧ୍ୟ ଉପଲବ୍ଧ ରହିଛି।