ସହଦେବ ସାହୁ
ଏବେ ପ୍ରତି ନାଗରିକଙ୍କ ମନରେ ସନ୍ଦେହ ଉଠିଲାଣି ‘ଆମ ଏମ୍ପିମାନଙ୍କୁ ଦିଆଯାଉଥିବା ପଇସାର ମୂଲ୍ୟ ମିଳୁଛି ତ?’ (ସମାନ ସନ୍ଦେହ ଓ ପ୍ରଶ୍ନ ଆମ ଏମ୍ଏଲ୍ଏମାନଙ୍କ ପ୍ରତି ଲାଗୁ ହେବ।) ସମସ୍ତେ ଚାହାନ୍ତି ଜିନିଷପତ୍ରର ମୂଲ୍ୟ ବଢ଼ିବା (ମୁଦ୍ରାସ୍ଫୀତି ହାର ବଢ଼ିବା) ସଙ୍ଗେ ସଙ୍ଗେ ସେମାନଙ୍କର ଦରମା ବା ମଜୁରି ବଢୁ। କିନ୍ତୁ ବଢ଼ାଇବା ସେମାନଙ୍କ ହାତରେ ନ ଥାଏ। ଏପରି ନିୟମ କରିଥିବା ଲୋକେ, ଏମ୍ପି ଓ ଏମ୍ଏଲ୍ଏମାନେ, ନିଆରା: ସେମାନେ ନିଜେ ଦରମା ବଢ଼ାଇପାରିବେ। ସେମାନେ ଏମିତି ଗୋଟିଏ ଏକଚାଟିଆ କ୍ଲବର ସଭ୍ୟ ଯେ ସେହି କ୍ଲବ୍ ତାହାର ସଭ୍ୟମାନଙ୍କୁ ବଡ଼ ଉଦାର ଚିତ୍ତରେ ଦେଖେ। ଗତଥରର ଦରମା, ଭତ୍ତା ଆଦି ବୃଦ୍ଧିର ୪ବର୍ଷ ନ ପୂରୁଣୁ ସେମାନେ ସଂସଦରେ ପୁନର୍ବାର ଦରମା ଆଦି ବୃଦ୍ଧି ଦାବିକଲେ। ସମ୍ବିଧାନର ଧାରା ୧୦୬ ଅନୁଯାୟୀ ସେମାନେ ନିଜେ ଦରମା ବଢ଼ାଇ ଆସୁଥିଲେ, କେନ୍ଦ୍ରରେ ଭାଜପା ସରକାର ଆସିଲା ପରେ ଏମ୍ପିମାନଙ୍କ ଗୋଟିଏ କମିଟି ଦରମା ନିର୍ଣ୍ଣୟ କରୁଛି, ଭତ୍ତା ଆଦି କେନ୍ଦ୍ର ସରକାର ନିର୍ଦ୍ଧାରଣ କରୁଛନ୍ତି। ଏମ୍ପିମାନଙ୍କ କମିଟି ସୁପାରିସ କଲା ଦରମା ୨ଗୁଣ କରିଦିଅ ଓ ପେନ୍ସନକୁ ଶତକଡ଼ା ୭୫ ଭାଗ ବଢାଇଦିଅ। ଅବଶ୍ୟ ସର୍ବଭାରତୀୟ ସେବା ଅଧିକାରୀ ତଥା କମ୍ପାନୀ କର୍ମଚାରୀମାନଙ୍କ ଦରମା ସହ ତୁଳନାକଲେ ଏହା କମ୍ ଜଣାଯିବ, କିନ୍ତୁ ଏମ୍ପିମାନଙ୍କ କ୍ଷେତ୍ରରେ ଦରମା ତ ମୂଳଦୁଆ, ତା’ ଉପରେ ଅଛି ବହୁତ ରକମର ପ୍ରିଭିଲେଜ୍ ଓ ପର୍କ୍ୟୁଜାଇଟସ୍ (ସ୍ବାଧିକାର ଏବଂ ଉପୁରି)ା ମାସିକ ନିର୍ବାଚନମଣ୍ଡଳୀ ଭତ୍ତା ୫୦ ହଜାର ଟଙ୍କା ମିଳେ। ଦିଲ୍ଲୀରେ ଘର ମାଗଣା। ଘରଖର୍ଚ୍ଚ, ଫୋନ୍, ବିଜୁଳି, ପାଣି, ଓ ମ୍ୟୁନିସିପାଲିଟି ସେବା – ସବୁ ସରକାର ଭରନ୍ତି; ପୁଣି ସବୁଗୁଡ଼ାକ ଆୟକରମୁକ୍ତ। ସେମାନେ ତ ଆଇନ ତିଆରିକରିବା ଲୋକ, ଏମିତି ଆଇନ କରିନେଇଛନ୍ତି। ସେମାନଙ୍କ ଟଙ୍କାଟା ଆମମାନଙ୍କର ଟଙ୍କେ ତିରିଶ ପଇସାରୁ ଅଧିକ। କାମ ଏମିତିକା ଯେ ନିଯୁକ୍ତିପତ୍ର ପାଇଲା ପରଠୁ ଦରମା ମିଳେ, କାମ କର କି ନ କର; ସଂସଦର ଉପସ୍ଥାନ ଖାତାରେ ଦସ୍ତଖତ କରିଦେଲେ ସଂସଦର ଅଧିବେଶନରେ ଯୋଗଦେଉଛ ବୋଲି ଧରାଯିବ, ତା’ ପରେ ଯାହା କରୁଛ କି ଯୁଆଡେ ଯାଉଛ ଯାଅ; ଦସ୍ତଖତ ଦିନ ଦିନକୁ ୨୦୦୦ ଟଙ୍କା ଭତ୍ତା। ଏମ୍ପି କାର୍ଯ୍ୟକାଳ ସରିଗଲେ (ଲୋକସଭା ଦିନଟିଏ ବସିଥିଲେ ବି) ସେ ପେନ୍ସନ ପାଇବ, ପୁନଃ ନିର୍ବାଚିତ ହେଲେ ପୁନଃ ପେନ୍ସନ ପାଇବ – ତାହା ପୁରୁଣା ପେନ୍ସନ ସାଙ୍ଗେ ମିଶିଯାଉଥିବ, ପୁଣି ଇହଧାମ ତ୍ୟାଗ କଲେ ପରିବାରକୁ ପେନ୍ସନ ମିଳିବ। ତା’ ଅନୁକରଣରେ ବିଧାନସଭା ମେମ୍ବର ବି ଏମିତି ସୁବିଧା ପାଆନ୍ତି। ବେଶିଥର ସାଂସଦ ବା ଏମ୍ଏଲ୍ଏ ହେଲେ ପେନ୍ସନ ଦରମାଠାରୁ ବେଶି! ଆଶ୍ଚର୍ଯ୍ୟ ଲାଗୁଛି କି? ୬ ଥର ଏମ୍ଏଲ୍ଏ ହୋଇଥିବା ହରିୟାଣାର କ୍ୟାପ୍ଟେନ୍ ଅଜୟ ସିଂ ଯାଦବ ମାସକୁ ୨ଲକ୍ଷ ୩୮ହଜାର ୫୦ ଟଙ୍କା ପେନ୍ସନ ପାଉଛନ୍ତି। ଔଚିତ୍ୟ ପାଣିରେ ପଡ଼ିଯାଇଛି, ଥରେ ଥରେ ମନେହେଉଛି ସରକାରୀ ତହବିଲଟା ଦଳୀୟ ପାଣ୍ଠି!
ଲୋକ ପ୍ରତିନିଧିମାନଙ୍କ ସଭାଗୃହ ହେଉଛି ଲୋକ ସଭା, ରାଜ୍ୟ ପ୍ରତିନିଧିମାନଙ୍କ ସଭାଗୃହ ରାଜ୍ୟ ସଭା। ଆଲୋଚନା ବ୍ୟତୀତ କୌଣସି ଜରୁରୀ ବିଷୟ ନଜରକୁ ଆସିଲେ ସେଥିପ୍ରତି ସରକାରଙ୍କ ଧ୍ୟାନ ଆକର୍ଷଣ କରିବା ଓ ପ୍ରଶାସନ(ସରକାର)ର କୈଫିୟତ୍ ମାଗିବାକୁ ମୁଲତବୀ ପ୍ରସ୍ତାବ (ଆଡଜର୍ନମେଣ୍ଟ ମୋସନ) ଆଣିବା। ଅମାନିଆ ହେଲେ ସରକାରକୁ ହଟାଇବା ଲାଗି ଅନାସ୍ଥା ପ୍ରସ୍ତାବ ଆଣିବା – ଏପରି ୫ଥର ଆସିଛି ୧୯୭୯,୧୯୯୦,୧୯୯୬,୧୯୯୭ ଓ୧୯୯୯ ରେ; ତା’ ପରେ ଗୋଟିଏ ହେଲେ ନାହିଁ, କାରଣ ୨୦୦୩ ରେ ସମ୍ବିଧାନ ସଂଶୋଧନ କରି ସେତେବେଳର କଂଗ୍ରେସ ପରିଚାଳିତ କ୍ୟାବିନେଟ୍ ଏମ୍ପିମାନଙ୍କୁ ଦଳର ପ୍ରତିନିଧି କରିଦେଲେ, ନାମକୁ ମାତ୍ର ଲୋକପ୍ରତିନିଧି। ସ୍ବୀକୃତିପ୍ରାପ୍ତ ରାଜନୈତିକ ଦଳର ଦଳପତି ନିର୍ବାଚନ ଅଧିକାରୀଙ୍କୁ ଯାହାର ନାମ ପଠାଇବେ ସେହି ଲୋକ ହିଁ ଏମ୍ପି ବା ଏମ୍ଏଲ୍ଏ ପ୍ରାର୍ଥୀ ହୋଇପାରିବ, ତାଙ୍କ ଜିତିବାରେ ଦଳ କୋଟି କୋଟି ଟଙ୍କା ଖର୍ଚ୍ଚ କଲେ ବି ତାହା ସମ୍ପୃକ୍ତ ପ୍ରାର୍ଥୀଙ୍କର ଖର୍ଚ୍ଚସୀମାରେ ଗଣାହେବ ନାହିଁ। ଜବାହରଲାଲ ନେହେରୁଙ୍କ କାଳରେ ଯେପରି ଯଶସ୍ବୀ ବ୍ୟକ୍ତିମାନେ ଏମ୍ପି ହୋଇପାରୁଥିଲେ ତା’ ଏବେ ଅସମ୍ଭବ। ଏଣିକି ସମସ୍ତେ ଦଳନେତାଙ୍କ ଗୋଡ଼ାଣିଆ, ନିର୍ବାଚନ ଫଳ ଆଉ ଜନାଦେଶ ହେବ ନାହିଁ, ତା’ ଦଳାଦେଶ ହେବ।
ଏହାର ଫଳ ଗତ ଦେଢ ଦଶନ୍ଧିରେ ମିଳିଗଲାଣି। ଏମ୍ପିମାନେ (ସେହିଭଳି ଏମ୍ଏଲ୍ଏମାନେ) ଆଉ ଲୋକ ପ୍ରତିନିଧି ଭଳି କାମ କରୁନାହାନ୍ତି। ବଜେଟ ବିନା ଆଲୋଚନାରେ ପାସ୍ ହେଉଛି, ଲୋକ ସଭା ବର୍ଷକରେ ୧୦୦ ଦିନ ବି ବସୁନାହିଁ। ବର୍ଷକରେ ୩ଟି ଅଧିବେଶନ ବସୁଛି, କାରଣ ସମ୍ବିଧାନ କହୁଛି ଯେ ଦୁଇଟି ଅଧିବେଶନ ଭିତରେ ୬ ମାସରୁ ବେଶି ବ୍ୟବଧାନ ରହିବ ନାହିଁ। ଏ ପ୍ରାବଧାନ ନ ଥିଲେ ଲୋକ ସଭା ଶାସକଦଳର ଦଳପତିଙ୍କ ମର୍ଜିରେ ବସନ୍ତା। ଯେହେତୁ ପ୍ରତିନିଧିମାନେ ବଜେଟ ପାସ୍ କଲେ ହିଁ ସରକାର ଖର୍ଚ୍ଚ କରିପାରିବେ। ତେଣୁ ବଜେଟ ସେସନ ଡକାହେବ। ୧୯୫୨ରୁ୧୯୭୦ ମଧ୍ୟରେ ଲୋକ ସଭା ବର୍ଷକୁ ୧୨୧ ଦିନ ବସୁଥିଲା ତ ୨୦୦୦ ରେ ମାତ୍ର ୬୮ ଦିନ ବସିଛି। ଏବେ ବର୍ଷଯାକ ୧୦୦ ଦିନ ବି ବସୁନାହିଁ। ମୁଲତବୀ ପ୍ରସ୍ତାବ ପ୍ରାୟ ଆସୁନାହିଁ। ତେଣୁ ଜରୁରୀ ବିଷୟ ସଙ୍ଗେ ସଙ୍ଗେ ଲୋକ ସଭା ବା ବିଧାନସଭାରେ ଆଲୋଚିତ ହେଉନାହିଁ।
ରାଜ୍ୟଗୁଡ଼ିକର ବିଧାନସଭା ବି ସେହିପରି। ଓଡ଼ିଶା ବିଧାନସଭା କଥା ଦେଖନ୍ତୁ, ଗତ ୮୩ ବର୍ଷରେ ମାତ୍ର ୧୨ ଥର ବର୍ଷକୁ ୬୦ ଦିନିଆ ଅଧିବେଶନ ହୋଇଛି: ସପ୍ତାହକୁ ଦିନେ ପାଖାପାଖି। ଦିନକ ଅଧିବେଶନ ପାଇଁ ସିକ୍ୟୁରିଟି ଓ ଅନ୍ୟ ବନ୍ଦୋବସ୍ତ ଉପରେ ପ୍ରାୟ ୨ କୋଟି ଟଙ୍କା ଖର୍ଚ୍ଚ ହୁଏ। ୧୯୫୨ରୁ ୧୯୭୦ ଭିତରେ ବର୍ଷକୁ ହାରାହାରି ୧୨୧ ଦିନ ଆସେମ୍ବ୍ଲି ବସୁଥିଲା ବେଳେ ଏବେ ବର୍ଷକୁ ପ୍ରାୟ ୬୮ ଦିନ ବସୁଛି। ଲୋକଙ୍କ ସମସ୍ୟା ଆଲୋଚନା ପାଇଁ ବିଧାୟକମାନେ ସିରିଅସ୍ ନୁହନ୍ତି, ବିଧାନସଭା ଚଳାଇବାରେ ରାଜନୈତିକ ଦଳଗୁଡ଼ିକ ସିରିଅସ୍ ନୁହନ୍ତି। ଆଲୋଚନା, ବିତର୍କ ଓ ବିଧାୟକଙ୍କ ଦାୟିତ୍ୱ ନିଭାଇବା ସେମାନେ ଚାହୁଁନାହାନ୍ତି। ସରକାରୀ କର୍ମଚାରୀମାନେ ସପ୍ତାହରେ ଦିନେ କାମ କରି ବର୍ଷକର (୫୨ ସପ୍ତାହର) ଦରମା ପାଇବେ କି? ନୋ ୱାର୍କ ନୋ ପେ, ‘କାମ କରୁନାହଁ ତ ଦରମା ନାହିଁ’ – ଏ ନିୟମ ତ ବିଧାୟକ ଓ ସାଂସଦମାନେ ତିଆରି କରିଛନ୍ତି, ନିଜ ପ୍ରତି କାହିଁକି ଲାଗୁ କରୁନାହାନ୍ତି?
୨୦୦୩ର ସମ୍ବିଧାନ ସଂଶୋଧନ ପରଠାରୁ ଦଳପତି ଯାହାଙ୍କ ନାଁ ନିର୍ବାଚନ ଅଧିକାରୀଙ୍କୁ ଲେଖି ଦେବେ ସେ ହିଁ ନିର୍ବାଚନରେ ପ୍ରାର୍ଥୀ ହୋଇପାରିବେ, ସେ ନିର୍ବାଚନମଣ୍ଡଳୀର ଭୋଟର ନ ହୋଇଥିଲେ ବି। ପ୍ରତିନିଧିଙ୍କ ଅଯୋଗ୍ୟତାରେ ଯୋଡ଼ାଗଲା ଦଳର ନିର୍ଦ୍ଦେଶ (ହ୍ବିପ୍)କୁ ନ ମାନିବା। ତେଣୁ ଏବେ ଏମ୍ଏଲ୍ଏ ଓ ଏମ୍ପିମାନେ ‘ଲୋକ’ପ୍ରତିନିଧି ନୁହନ୍ତି, ‘ଦଳ’ପ୍ରତିନିଧି ହୋଇଗଲେଣି; ଭୋଟଫଳ ‘ଜନାଦେଶ’ ନୁହେଁ ‘ଦଳାଦେଶ’ ହେଉଛି। ତେଣୁ ନିର୍ବାଚନକୁ ନିୟନ୍ତ୍ରଣ କରୁଥିବା ଆଇନକୁ ଲୋକ ପ୍ରତିନିଧି ଆଇନ (ଆର୍ପିଏ) ନ କହି ରାଜନୈତିକ ଦଳ ପ୍ରତିନିଧି ଆକ୍ଟ (ଗୋଟିଏ ଅଧିକା ‘ପି’ ଯୋଡ଼ି ରିପ୍ରେଜେଣ୍ଟେଶନ ଅଫ୍ ପଲିଟିକାଲ୍ ପାର୍ଟିଜ୍ ଆକ୍ଟ, ‘ଆର୍ପିପିଏ’ କହିଲେ ଠିକ୍ ଅର୍ଥ ବୁଝାଇବ।
sahadevas@yahoo.com