
ଟୋକିଓ,୧୭।୨: ପୂର୍ବ ଜାପାନର ଟୋଚିଗି ଅଞ୍ଚଳସ୍ଥିତ ହିଲିଙ୍ଗ ପାଭିଲିଅନ ଚିଡ଼ିଆଖାନାରେ କୌଣସି ପୁରୁଷ ଏକାକୀ ଭ୍ରମଣ କରିପାରିବେ ନାହିଁ। ଚିଡ଼ିଆଖାନା ମଧ୍ୟରେ ମହିଳାଙ୍କୁ ଦୁର୍ବ୍ୟବହାର, ଅସଦାଚରଣ, ଉତ୍ପୀଡ଼ନ ଆଦି ମାମଲା ବଢ଼ୁଥିବାରୁ କର୍ତ୍ତୃପକ୍ଷ ପୁରୁଷଙ୍କ ଉପରେ ଏପରି କଟକଣା ଲଗାଇଛନ୍ତି। ଏଠାରେ ଏବେ ପୁରୁଷମାନଙ୍କୁ ଚିଡ଼ିଆଖାନା ପରିଦର୍ଶନ କରିବା ପାଇଁ ନିଜ ପରିବାର କିମ୍ବା ବାନ୍ଧବୀଙ୍କ ସହ ଆସିବାକୁ ପଡ଼ିବ।
ଜାପାନର ରାଜଧାନୀ ଟୋକିଓଠାରୁ ୧୧୫ କି.ମି. ଦୂରରେ ଅବସ୍ଥିତ ହିଲିଙ୍ଗ ପାଭିଲିଅନ ଏକ ଇଣ୍ଟରାକ୍ଚିଭ୍ ଜୁ ଭାବରେ ପରିଚିତ। ଏଠାରେ ପର୍ଯ୍ୟଟକମାନେ ପ୍ରାଣୀମାନଙ୍କର ବେଶ୍ ନିକଟତର ହେବା ସହ ସେମାନଙ୍କ ସହ ସମୟ ବିତାଇ ମାନସିକ ଶାନ୍ତି ପାଇ ପାରିଥାନ୍ତି। ଗତବର୍ଷ ମାର୍ଚ୍ଚରେ ଖୋଲା ଯାଇଥିବା ଏହି ଚିଡ଼ିଆଖାନାରେ ଲୋକମାନେ ଘୁଷୁରି, ବିଲେଇ, କୁକୁର, ମେଣ୍ଢା, ମାଙ୍କଡ଼ ଆଦି ପ୍ରାଣୀମାନଙ୍କ ସହ ସମୟ ବିତାଇ ଆତ୍ମ ସନ୍ତୋଷ ଲାଭ କରିଥାନ୍ତି। ଏହି ଚିଡ଼ିଆଖାନା ମଧ୍ୟରେ ଏକ ଡଗ୍ ପାର୍କ ମଧ୍ୟ ରହିଛି, ଯେଉଁଠାରେ ଲୋକମାନେ ବିଭିନ୍ନ ଗୃହପାଳିତ ପଶୁଙ୍କ ସହ ଖେଳି ପାରନ୍ତି। କିନ୍ତୁ କିଛି ଅସାମାଜିକ ତତ୍ତ୍ୱଙ୍କ ଯୋଗୁ, ଚିଡ଼ିଆଖାନା ମଧ୍ୟରେ ମହିଳା ପର୍ଯ୍ୟଟକମାନେ ଅସୁବିଧାର ସମ୍ମୁଖୀନ ହେଉଥିବା ହିଲିଙ୍ଗ ପାଭିଲିଅନ ଚିଡ଼ିଆଖାନାର ନିର୍ଦ୍ଦେଶିକା ମୀସା ମାମା କହିଛନ୍ତି। ପୁରୁଷମାନେ ଏକାକୀ ତାଙ୍କ ଚିଡ଼ିଆଖାନାକୁ ଆସିବା ନେଇ ଜାରି ହୋଇଥିବା କଟକଣା ସମ୍ବନ୍ଧରେ ଏକ୍ସ’ରେ ସୂଚନା ଦେଇ ସେ କହିଛନ୍ତି, ଗତ କିଛି ମାସ ହେବ ଚିଡ଼ିଆଖାନା ମଧ୍ୟରେ ପୁରୁଷମାନେ ତାଙ୍କ ସମେତ ଅନେକ ମହିଳା ପର୍ଯ୍ୟଟକଙ୍କୁ ଅସଦାଚରଣ କରୁଥିବାର ଘଟଣା ସାମନ୍ାକୁ ଆସିଛି। ଏହି କାରଣରୁ ଚିଡ଼ିଆଖାନାକୁ ଭ୍ରମଣ ପାଇଁ ଆସିବା ନିମନ୍ତେ ମହିଳାମାନେ ଅସୁରକ୍ଷିତ ମଣୁଛନ୍ତି। ଏପରି କାର୍ଯ୍ୟକଳାପ ଯୋଗୁ ଚିଡ଼ିଆଖାନାର ପରିବେଶ ନଷ୍ଟ ହେବାରେ ଲାଗିଛି। ମୀସା ଆହୁରି କହିଛନ୍ତି, ହିଲିଙ୍ଗ ପାଭିଲିଅନ ଚିଡ଼ିଆଖାନାକୁ ସାଧାରଣତଃ ପୁରୁଷମାନେ ସେମାନଙ୍କ ପରିବାର କିମ୍ବା ମହିଳା ବନ୍ଧୁଙ୍କ ସହ ଆସିଥାନ୍ତି। ତେବେ କେତେଜଣ ପୁରଷ ଏକାକୀ କିମ୍ବା ଦଳଗତ ଭାବେ ଚିଡ଼ିଆଖାନା ମଧ୍ୟକୁ ଆସି ବିଶୃଙ୍ଖଳା ଘଟାଉଛନ୍ତି, ଯାହାଫଳରେ ଚିଡ଼ିଆଖାନାରେ ମହିଳାଙ୍କ ପ୍ରତି ଦୁର୍ବ୍ୟବହାର ଘଟଣା ବଢ଼ିଚାଲିଛି। ଅଳ୍ପକିଛି ପୁରୁଷଙ୍କ ପାଇଁ ପୂରା ଚିଡ଼ିଆଖାନାର ମାହୋଲ ଖରାପ ହେଉଛି। ଲୋକଙ୍କୁ ପ୍ରାଣୀମାନଙ୍କ ନିକଟତର କରି ସେମାନଙ୍କୁ ମାନସିକ ଶାନ୍ତି ଯୋଗାଇବା ହିଲିଙ୍ଗ ପାଭିଲିଅନ ଚିଡ଼ିଆଖାନାର ଉଦ୍ଦେଶ୍ୟ ରହିଥିଲା। କିନ୍ତୁ କିଛି ଲୋକଙ୍କର ଭୁଲ୍ ଆଚରଣ ପୂରା ବ୍ୟବସ୍ଥାକୁ ପ୍ରଭାବିତ କରିଛି। ପ୍ରଥମେ ଚିଡ଼ିଆଖାନା ପ୍ରଶାସନ ଏହି ଘଟଣାଗୁଡ଼ିକୁ ବିଶେଷ ଧ୍ୟାନ ନ ଦେଇ ନଜର ଅନ୍ଦାଜ କରୁଥିଲା। କିନ୍ତୁ ପରେ ସ୍ଥିତି ବିଗିଡ଼ିବାରୁ ମହିଳା ପର୍ଯ୍ୟଟକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଚିଡ଼ିଆଖାନା ପ୍ରଶାସନକୁ ଏପରି କଡ଼ା ନିଷ୍ପତ୍ତି ନେବାକୁ ପଡ଼ିଛି ବୋଲି ମୀସା କହିଛନ୍ତି। ମୀସାଙ୍କ ଏହି ଟୁଇଟ୍ ସୋସିଆଲ ମିଡିଆରେ ବିତର୍କ ସୃଷ୍ଟି କରିଛି।