Categories: ଖେଳ

ରୋହିତଙ୍କ ବିନା ସିରିଜ୍‌ ଜିତିବା କଷ୍ଟକର

ମୁମ୍ବାଇ,୧୫।୧୨: ଆସନ୍ତା ୨୬ ତାରିଖରୁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଆରମ୍ଭ ହେବାକୁ ଥିବା ଟେଷ୍ଟ ସିରିଜ୍‌ରୁ ଆହତ ହୋଇ ବାଦ୍‌ ପଡ଼ିଛନ୍ତି ରୋହିତ ଶର୍ମା। ଉପ ଅଧିନାୟକଙ୍କ ଅନୁପସ୍ଥିତି ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ପାଇଁ ଟେଷ୍ଟ ସିରିଜ୍‌ ଜିତିବାର ସମ୍ଭାବନା କମ୍‌ ଥିବା କହିଛନ୍ତି ପୂର୍ବତନ ବ୍ୟାଟର ଆକାଶ ଚୋପ୍ରା।

“ରୋହିତଙ୍କ ଅନୁପସ୍ଥିତି ଭାରତୀୟ ଦଳ ଖୁବ୍‌ ଅନୁଭବ କରିବ। ତାଙ୍କ ବିନା ଭାରତର ଜିତିବା ଆଶା କମ। କାରଣ ସେ ୨୦୨୧ରେ ଶ୍ରେଷ୍ଠ ଭାରତୀୟ ବ୍ୟାଟର। ରୋହିତ ଓ ରାହୁଲ ଦଳକୁ ଭଲ ଆରମ୍ଭ ଦେବାରୁ ଇଂଲଣ୍ଡରେ ଟିମ୍‌ ଇଣ୍ଡିଆ ସଫଳ ହୋଇଥିଲା। ସେ ଯେଉଁଭଳି ବ୍ୟାଟିଂ କରୁଥିଲେ, ଲାଗୁଥିଲା ସେ ଟେଷ୍ଟ କ୍ରିକେଟ ପ୍ରେମରେ ପଡ଼ିଛନ୍ତି। ଯଦି ସେ ଦଳରେ ନାହାନ୍ତି, ତେବେ ଭାରତୀୟ ଦଳକୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ” ବୋଲି କ୍ରିକେଟରରୁ ଭାଷ୍ୟକାର ପାଲଟିଥିବା ଚୋପ୍ରା ତାଙ୍କ ୟୁଟ୍ୟୁବ ଚ୍ୟାନେଲରେ କହିଛନ୍ତି। ଉଲ୍ଲେଖଯୋଗ୍ୟ, ଚଳିତ ବର୍ଷ ୧୧ ଟେଷ୍ଟ ଖେଳିଥିବା ରୋହିତ ୪୭.୬ ହାରରେ ୯୧୧ ରନ୍‌ କରିଛନ୍ତି। ଏଥିରେ ୨ ଶତକ ଓ ଅର୍ଦ୍ଧଶତକ ରହିଛି।

ରୋହିତଙ୍କ ଅନୁପସ୍ଥିତିରେ ଯଶପ୍ରୀତ ବୁମରା କିମ୍ବା ରବିଚନ୍ଦ୍ରନ ଅଶ୍ୱିନଙ୍କୁ ଟେଷ୍ଟ ଦଳର ଉପ ଅଧିନାୟକ ଭାର ଦିଆଯାଇପାରେ ବୋଲି ଆକଳନ କରିଛନ୍ତି ଆକାଶ। ତାଙ୍କ ମତରେ ବରିଷ୍ଠତା ଆଧାରରେ ଟିମ୍‌ ମ୍ୟାନେଜମେଣ୍ଟ ଏହି ଦୁଇ ଖେଳାଳିଙ୍କ ମଧ୍ୟରୁ ଜଣଙ୍କୁ ଉପଅଧିନାୟକ କରିପାରେ।

Share