Categories: ଜାତୀୟ

ଅପରାଧୀଙ୍କ ଚିହ୍ନଟ ପାଇଁ ଟିଆଇ ପରେଡ କରାଯାଇ ନ ଥିଲେ ବି ସାକ୍ଷୀଙ୍କ ସାକ୍ଷ୍ୟ ହେବନି ପ୍ରତ୍ୟାଖ୍ୟାନ…

ନୂଆଦିଲ୍ଲୀ,୨୪।୧୦: ଅଭିଯୁକ୍ତକୁ ଚିହ୍ନଟ କରୁଥିବା ଜଣେ ସାକ୍ଷୀଙ୍କ ସାକ୍ଷ୍ୟ କେବଳ ଟ୍ରାଏଲ ଆଇଡେଣ୍ଟିଫିକେସନ ପରେଡ (ଟିଆଇପି) କରାଯାଇ ନ ଥିବାରୁ କୋର୍ଟରେ ପ୍ରତ୍ୟାଖ୍ୟାନ କରାଯାଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ବିଚାରପତି ଅଜୟ ରସ୍ତୋଗୀ ଏବଂ ଅଭୟ ଏସ. ଓକାଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏଭଳି ରାୟ ପ୍ରଦାନ କରିଛନ୍ତି। ଖଣ୍ଡପୀଠ କହିଛନ୍ତି ଯେ, କୌଣସି ବିଚାରାଧୀନ ମାମଲାରେ ଜଣେ ସାକ୍ଷୀଙ୍କ ସାକ୍ଷ୍ୟ ଅନ୍ୟ ଉପାୟ ଦ୍ୱାରା ପ୍ରମାଣିତ ହୋଇପାରିବ।

କେରଳ ଏକ୍ସାଇଜ ଆକ୍ଟର ଧାରା ୫୫(କ) ଅନୁଯାୟୀ ଦୋଷୀ ସାବ୍ୟସ୍ତ ଅଭିଯୁକ୍ତଙ୍କ ଦ୍ୱାରା ଦାଖଲ ହୋଇଥିବା ଆବେଦନକୁ ଅନୁମତି ଦେଇ କୋର୍ଟ ଏପରି କହିିଛନ୍ତି। ତେବେ ଏହି ମାମଲାରେ କୋର୍ଟ ଜଣେ ସାକ୍ଷୀଙ୍କ ସାକ୍ଷ୍ୟକୁ ବିଶ୍ୱାସ କରି ନ ଥିଲେ। ସାକ୍ଷୀ ଅଭିଯୁକ୍ତଙ୍କୁ କୋର୍ଟରେ ଚିହ୍ନଟ କରିଥିଲେ ମଧ୍ୟ ସେ ଅଭିଯୁକ୍ତଙ୍କୁ ଦୀର୍ଘ ୧୧ ବର୍ଷ ପରେ ଦେଖିଥିଲେ।
ଆବେଦନକାରୀଙ୍କ ଦ୍ୱାରା ଉଠାଯାଇଥିବା ଏକ ଯୁକ୍ତି ହେଉଛି ଯେ ଏହି ମାମଲାରେ ଟ୍ରାୟଲ ଆଇଡେଣ୍ଟିଫିକେସନ ପାରେଡ (ଟିଆଇ ପ୍ୟାରେଡ) କରାଯାଇ ନାହିଁ । ପ୍ରାୟ ୧୨ ବର୍ଷ ବିତିଯିବା ପରେ ସାକ୍ଷୀ କୋର୍ଟରେ ହାଜର ହୋଇଥିଲେ ତେଣୁ ତାଙ୍କୁ ବିଶ୍ୱାସ କରାଯାଇପାରିବ ନାହିଁ । ଏହି ପରିପ୍ରେକ୍ଷୀରେ କୋର୍ଟ କହିଛନ୍ତି ଯେ, ଟିଆଇ ପରେଡ ତଦନ୍ତର ଏକ ଅଂଶ ଏବଂ ଏହା ଏକ ବଳିଷ୍ଠ ପ୍ରମାଣ ନୁହେଁ। ଖଣ୍ଡପୀଠ କହିଛନ୍ତି ଯେ, ସାକ୍ଷୀ ଅଭିଯୁକ୍ତଙ୍କୁ ଆଗରୁ ଜାଣି ନ ଥିବା ବେଳେ ଟିଆଇ ପାରେଡ ପରିଚାଳନା କରିବାର ପ୍ରଶ୍ନ ଉଠିଥାଏ। ଅପରାଧ ସମୟରେ ଅଭିଯୁକ୍ତଙ୍କୁ ସାକ୍ଷୀ ଦେଖିଥିବା ସ୍ଥଳେ ଦୀର୍ଘ ସମୟ ପରେ ମଧ୍ୟ କୋର୍ଟରେ ସାକ୍ଷ୍ୟ ଦେଇପାରିବେ ବୋଲି କୋର୍ଟ କହିଛନ୍ତି।

Share