ଷଢ଼େଇକଳା (ଝାଡ଼ଖଣ୍ଡ),୧।୪: ନିଶା ସେବନ କରିବା ନିଜର କ୍ଷତି ସହ ଅନେକ ସମୟରେ ବହୁ ପରିବାରରେ ଅଶାନ୍ତି ସୃଷ୍ଟିର ମୂଳ କାରଣ ପାଲଟିଥାଏ। ଏପରି କି ନିଶା ସେବନ କରୁଥିବା ବ୍ୟକ୍ତି ନିଜର ହିତାହିତ ଜ୍ଞାନ ଭୁଲିଯାଇ ବଡ଼ ଅଘଟଣ ମଧ୍ୟ ଘଟାଇଥାନ୍ତି। ଏଭଳି ଏକ ଘଟଣା ଝାଡ଼ଖଣ୍ଡ ଷଢ଼େଇକଳା ଅଞ୍ଚଳରେ ଘଟିଛି। ନିଶା ସେବନକୁ ବିରୋଧ କରିବାରୁ ସ୍ତ୍ରୀଙ୍କ ସହ ଝଗଡ଼ା କରିବା ଏବଂ ପରେ ସ୍ତ୍ରୀ ଏବଂ ୫ବର୍ଷର ପୁଅକୁ ଲୁହା ତାଓ୍ବାରେ ପିଟି ହତ୍ୟା କରିଛନ୍ତି ଜଣେ ଯୁବକ। ହତ୍ୟା ଅଭିଯୋଗରେ ପୋଲିସ ଅଭିଯୁକ୍ତ ସୁଖରାମ ମୁଣ୍ଡାଙ୍କୁ ଗିରଫ କରିଛି।
ମିଳିଥିବା ସୂଚନାନୁସାରେ, ଷଢ଼େଇକଳାର କପାଳି ଫାଣ୍ଡି ଅଞ୍ଚଳରେ ଅଭିଯୁକ୍ତ ସୁଖରାମ ସ୍ତ୍ରୀ ପାର୍ବତୀ ଦେବୀ ଏବଂ ୫ବର୍ଷର ପୁଅ ଗଣେଶ ମୁଣ୍ଡାଙ୍କ ସହ ରୁହନ୍ତି। ସୁଖରାମ୍ ଅନେକ ସମୟରେ ନିଶାସେବନ କରନ୍ତି, ଯାହାକୁ ନେଇ ପରିବାରରେ କଳହ ସୃଷ୍ଟି ହୋଇଥାଏ। ସୋମବାର ଉଭୟ ସ୍ତ୍ରୀ ଏବଂ ସ୍ବାମୀଙ୍କ ମଧ୍ୟରେ କୌଣସି ଏକ କଥାକୁ କେନ୍ଦ୍ରକରି ଝଗଡ଼ା ହୋଇଥିଲା। ଝଗଡ଼ା ଉଗ୍ରରୂପ ନେବାରୁ ସୁଖରାମ ଉତ୍କ୍ଷିପ୍ତ ହୋଇ ଲୁହା ତାଓ୍ବାରେ ସ୍ତ୍ରୀ ପାର୍ବତୀ ଏବଂ ପୁଅ ଗଣେଶଙ୍କୁ ପିଟି ପିଟି ହତ୍ୟା କରିଥିଲେ।
ଏପରି କି ଲୁହା ତାଓ୍ବାରେ ପିଟି ରକ୍ତାକ୍ତ କରିବା ପରେ ଏକ ବ୍ଲେଡ୍ରେ ଗଳା କାଟି ହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ମା’ପୁଅଙ୍କ ଚିତ୍କାର ଶୁଣି କେତେଜଣ ପଡ଼ୋଶୀ ଘଟଣାସ୍ଥଳକୁ ଯାଇଥିଲେ। ସେଠାରେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ମା’ପୁଅ ପଡ଼ିଥିବା ଦେଖି ତୁରନ୍ତ ପୋଲିସକୁ ଖବର ଦେଇଥିଲେ। ପୋଲିସ ପହଞ୍ଚିବା ବେଳକୁ ଉଭୟଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ଅଭିଯୁକ୍ତ ସ୍ବାମୀ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।
ପୋଲିସ ହତ୍ୟାରେ ବ୍ୟବହୃତ ଲୁହା ତାଓ୍ବା ଏବଂ ଏକ ବ୍ଲେଡ୍ ଜବତ କରିଛି। ଏଥିସହ ନିକଟସ୍ଥ ଗ୍ରାମରୁ ଅଭିଯୁକ୍ତ ସୁଖରାମଙ୍କୁ ଗିରଫ କରି ଅଧିକ ପଚରାଉଚରା କରୁଛି। ପଡ଼ୋଶୀଙ୍କ କହିବା ହେଲା, ସୁଖରାମ ଅଧିକାଂଶ ସମୟରେ ନିଶା ସେବନ କରି ଘରେ ପାଟିତୁଣ୍ଡ କରିଥାନ୍ତି। ପାର୍ବତୀ ଏହାକୁ ବିରୋଧ କରିବାରୁ ତାଙ୍କୁ ମାରଧର ମଧ୍ୟ କରିଥାନ୍ତି। ପାରିବାରିକ କଳହରୁ ସ୍ତ୍ରୀଙ୍କୁ ମାରିବା ସହ ୫ବର୍ଷର ନିରୀହ ଶିଶୁ ପୁତ୍ରକୁ ମାରିଦେବା ଘଟଣା ଅତ୍ୟନ୍ତ ହୃଦୟ ବିଦାରକ ଏବଂ ଏହା ସମସ୍ତଙ୍କୁ ଚକିତ କରିଛି ବୋଲି କହିଛନ୍ତି। ଅପରପକ୍ଷରେ ପାରିବାରିକ କଳହକୁ କେନ୍ଦ୍ର କରି ଏହି ଘଟଣା ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଅଭିଯୁକ୍ତଙ୍କୁ ଅଧିକ ପଚରାଉଚରା କରାଯାଉଛି ବୋଲି କପାଳି ଫାଣ୍ଡି ଅଧିକାରୀ ସୋନୁ କୁମାର ସୂଚନା ଦେଇଛନ୍ତି।