ପିଲାକୁ ଧରି ସ୍ତ୍ରୀ ପ୍ରେମିକ ସହ ଫେରାର

ଜଳେଶ୍ୱର, ୧୫ା୩(ଡି.ଏନ.ଏ.): ବାଲେଶ୍ୱର ଜିଲା ଜଳେଶ୍ୱର ଥାନା ଅଞ୍ଚଳରେ ଜଣେ ବ୍ୟକ୍ତି ଚିକିତ୍ସା ଲାଗି ଭୁବନେଶ୍ୱରର ଏକ ଘରୋଇ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ବେଳେ ତାଙ୍କ ସ୍ତ୍ରୀ ନିଜ ପିଲାଙ୍କୁ ସାଙ୍ଗରେ ନେଇ ପ୍ରେମିକଙ୍କ ସହ ଫେରାର ହୋଇଯାଇଥିବା ଚର୍ଚ୍ଚାର ବିଷୟ ହୋଇଛି। ଗୋପୀମୋହନପୁର ପଞ୍ଚାୟତର ଜଣେ ଯୁବକ ୨୦୨୦ରେ ବାଲିଆପାଳ ଥାନା କଟିସାହି-ସୁନାରାଇ ଗାଁର ଜଣେ ଯୁବତୀଙ୍କୁ ପ୍ରେମ ବିବାହ କରିଥିଲେ। ଏବେ ସେମାନଙ୍କର ୧୩ ମାସର ଶିଶୁ କନ୍ୟା ଅଛି ା ସ୍ବାମୀ ଜଣକ ରୋଗଗ୍ରସ୍ତ ହୋଇ ଶଯ୍ୟାଶାୟୀ ଅଛନ୍ତି। ଏହାର ସୁଯୋଗ ନେଇ ମହିଳାଜଣକ ତାର ସମସ୍ତ ଗହଣାପତ୍ର ସହ ଝିଅକୁ ଧରି ସ୍ବାମୀଙ୍କ ସ୍କୁଟିରେ ଘରୁ ପଳାଇ ଯାଇଛନ୍ତି। ସନ୍ଧ୍ୟାସୁଦ୍ଧା ଘରକୁ ନ ଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ। ଖରିର୍ଦ୍ଦା ଅଞ୍ଚଳର ଜଣେ ଯୁବକଙ୍କ ସହିତ ସେମାନେ ଜଳେଶ୍ୱରର ଚନ୍ଦନା ଗାଁରେ ବିବାହ କରି ରହିଥିବା ଜଣାଯାଇଛି। ଏହା ଜଣାଯିବା ପରେ ପରିବାର ଲୋକେ ତାଙ୍କ ନିକଟକୁ ଆସି ଫେରାଇ ନେବାରେ ବିଫଳ ହୋଇଛନ୍ତି ା