ଦିଗପହଣ୍ଡି,୧୦।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ଚିକିଟି ରାସ୍ତାର ଦଳିତ ସାହିରେ ଶାଶୁ,ଶ୍ୱଶୁର ଓ ସ୍ତ୍ରୀଙ୍କୁ ମାଡ଼ ମାରି ୫ ବର୍ଷର ପୁଅଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି। ସ୍ତ୍ରୀ ଶିବାନୀ ସେଠୀ ରାଣୀ ସାହିରେ ରହୁଥିବା ସ୍ବାମୀ ପନିଳ ସେଠୀଙ୍କ ବିରୋଧରେ ଦିଗପହଣ୍ଡି ଥାନାରେ ଏତଲା ଦେଇଛନ୍ତି। ଏତଲାକୁ ଭିତ୍ତିକରି ପୋଲିସ ଥାନାରେ ମାମଲା ନଂ.୧୩୪/୨୫ ଅନୁଯାୟୀ ଅଭିଯୁକ୍ତ ସ୍ବାମୀଙ୍କ ବିରୋଧରେ ମକଦ୍ଦମା ରୁଜୁ କରି ତଦନ୍ତ ଚଳାଇଛି।
ସୂଚନାନୁଯାୟୀ, ଗତ ପ୍ରାୟ ୬ ବର୍ଷ ପୂର୍ବେ ଶିବାନୀ-ପନିଳ ଉଭୟଙ୍କୁ ଭଲପାଇ ବିବାହ କରିଥିଲେ। ବିବାହର କିଛିଦିନ ହସ ଖୁସିରେ କଟିବା ପରେ ସ୍ବାମୀ ତାଙ୍କୁ ଯୌତୁକ ପାଇଁ ସଦାସର୍ବଦା ମାଡ଼ ମାରୁଥିଲେ। ଗତ ସୋମବାର ସ୍ବାମୀ ତାଙ୍କ ଶ୍ୱଶୁର ଘରେ ପହଞ୍ଚି ସ୍ତ୍ରୀ ଙ୍କୁ ମାଡ଼ ମାରିଥିଲେ। ଶାଶୁ, ଶ୍ୱଶୁର ଛଡ଼ାଇବାରୁ ସେମାନଙ୍କୁ ମଧ୍ୟ ସେ ନିସ୍ତୁକ ମାଡ ମାରିଥିଲେ। ମଙ୍ଗଳବାର ଅପରାହ୍ନ ପ୍ରାୟ ୧ ଟାରେ ସ୍ବାମୀ ତାଙ୍କ ୫ ବର୍ଷର ପୁଅ ରିହାନକୁ ଜବରଦସ୍ତ ତାଙ୍କଠାରୁ ନେଇ ଫେରାର ହୋଇଯାଇଛନ୍ତି। ସେ ବହୁତ ଖୋଜା ଖୋଜି କଲା ପରେ ମଧ୍ୟ ତାଙ୍କ ପୁଅଙ୍କ ସନ୍ଧାନ ମିଳିପାରିନାହିଁ ବୋଲି ସେ ଏତଲାରେ ଉଲ୍ଲେଖ କରିଛନ୍ତି।