ନାବାଳିକା ବଳାତ୍କାର ମାମଲାରେ ମହିଳା ଗିରଫ

ସମ୍ବଲପୁର,୧୪ା୩(ବ୍ୟୁରୋ): ସମ୍ବଲପୁର ଜିଲା ଧମା ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ବଳତ୍କାର କରାଯାଇଥିବା ନେଇ ଅଭିଯୋଗ ହୋଇଥିଲା। ଏହି ଘଟଣାରେ ପୋଲିସ ପୂର୍ବରୁ ସାହାସପୁର ପଞ୍ଚାୟତର ନାଏବ ସରପଞ୍ଚ ଆଲୋକ ବେହେରା, ଟାଉନ ଥାନା ଅନ୍ତର୍ଗତ ବୁଟିକ ମାଲିକ କିଶୋର ଶତପଥୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ରବିବାର ପୋଲିସ ଏହି ମାମଲାରେ ସାହାସପୁର ଗ୍ରାମର ଦୁଲ୍ଳଭି ମହାନନ୍ଦଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ମହିଳା ଜଣକ ନାବାଳିକାଙ୍କୁ ଘରୁ ଡାକି ନେଇ ସହଯୋଗ କରିଥିବା ଅଭିଯୋଗ ହୋଇଛି। ଘଟଣା ପର ଠାରୁ ସେ ଫେରାର ହୋଇଯାଇଥିଲେ । ଖବର ପାଇ ଧନୁପାଲି ଥାନା ପୁଟିବନ୍ଦ ଗ୍ରାମରୁ ପୋଲିସ ତାଙ୍କୁ ଗିରଫ କରିଛି।
ସୂଚନାଯୋଗ୍ୟ, ଗତ ଫେବୃୟାରୀ ୧୪ ତାରିଖରେ ନାବାଳିକା ଜଣକ ମହିଳାଙ୍କ ସାଙ୍ଗରେ ଘରୁ ବାହାରକୁ ଯାଇଥିଲେ । ସେମାନେ ଟାଉନ ଥାନା ଅର୍ନ୍ତଗତ ଏନଗୁହାଲେନ ନିବାସୀ କିଶୋରଙ୍କ ଧୁଚୁରାପଡାରେ ଥିବା ବୁଟିକକୁ ଆସିଥିଲେ । ତେବେ ବୁଟିକ ମାଲିକ ଭଡା ନେଇଥିବା ଏକ କୋଠରୀରେ ନାବାଳିକାଙ୍କୁ ବଳାତ୍କାର କରିଥିବା ଅଭିଯୋଗ ହୋଇଥିଲା। ନାବାଳିକା ମଧ୍ୟ ଏନେଇ ବୟାନ ଦେଇଥିଲେ। ବୟାନକୁ ଆଧାର କରି ବୁଟିକ୍‌ ମାଲିକ କିଶୋରଙ୍କୁ ଗିରଫ କରାଯାଇଥିଲା।

Share