Categories: ଜାତୀୟ

୫ ମାସରେ ୩୧ ଥର କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି ଏହି ମହିଳା

ଜୟପୁର,୨୩।୧: ରାଜସ୍ଥାନର ଭରତପୁରର ଜଣେ ୩୫ ବର୍ଷୀୟା ମହିଳା ୫ ମାସ ଭିତରେ ୩୧ ଥର କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହି ଘଟଣା ଡାକ୍ତରଙ୍କ ପାଇଁ ଏକ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ମହିଳା ଜଣଙ୍କ ରହୁଥିବା ଆଶ୍ରମର ଅଧିକାରୀ କୁହନ୍ତି, ତାଙ୍କର ୧୭ ଥର ଆର୍‌ଟି ପିସିଆର ଏବଂ ୧୪ ଥର ରାପିଡ୍‌ ଆଣ୍ଟିଜେନ୍‌ ଟେଷ୍ଟ କରାଯାଇଛି। ସବୁଥର ରିପୋର୍ଟ ପଜିଟିଭ୍‌ ଆସିଛି। ମହିଳାଙ୍କର ପ୍ରଥମ ଟେଷ୍ଟ ସେପ୍ଟେମ୍ବର ୪ରେ ହୋଇଥିଲା। ଶେଷଥର ଜାନୁୟାରୀ ୭ରେ ହୋଇଥିଲା। ଯେତେଥର ପରୀକ୍ଷା କରାଯାଇଛି ସେତେଥର ପଜିଟିଭ୍‌ ଆସିଛି। ଯାହାକୁ ଦେଖି ଡାକ୍ତରମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।
ଏହି ମହିଳାଙ୍କ ନାମ ସାରଦା ଦେବୀ। ସେ ଗତ ଅଗଷ୍ଟରୁ ଆଶ୍ରମରେ ରହି ଆସୁଛନ୍ତି। ତାଙ୍କ ଆଶ୍ରମରେ ନିୟମିତ ଭାବରେ କରୋନା ଟେଷ୍ଟ କରାଯାଏ। ଯେଉଁଥିରେ ତାଙ୍କର ମଧ୍ୟ ପଜିଟିଭ୍‌ ଆସିଥିଲା। ସେ ସେବେଠାରୁ କ୍ୱାରାଣ୍ଟାଇନ୍‌ରେ ରହି ଆସୁଛନ୍ତି। ତାଙ୍କୁ ଏଲୋପାଥିକ, ହୋମିଓପାଥିକ ଏବଂ ଆୟୁର୍ବେଦ ୩ ପ୍ରକାରର ଔଷଧ ଦିଆଯାଉଛି। ଏହା ପରେ ମଧ୍ୟ ତାଙ୍କର ରିପୋର୍ଟ ପଜିଟିଭ୍‌ ଆସୁଛି। ଡାକ୍ତର ବିଏମ୍‌ ଭରଦ୍ୱାଜ କୁହନ୍ତି, ସବୁଠୁ ଆଶ୍ଚର୍ଯ୍ୟର କଥା ସେ ସୁସ୍ଥ ଅଛନ୍ତି ଏବଂ ତାଙ୍କ ଓଜନ ୮ କିଲୋ ମଧ୍ୟ ବଢ଼ିଛି।

Share